ତୃତୀୟ ଥର ଲାଗି ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ସଲିସିଟର ଜେନେରାଲ

ଲଣ୍ଡନ: ୬୮ ବର୍ଷ ବୟସରେ ତୃତୀୟ ବିବାହ । ତୃତୀୟ ଥର ଲାଗି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ । ଲଣ୍ଡନର ଏକ ବିଳାସପୂର୍ଣ୍ଣ ହାଟେଲରେ ଗର୍ଲଫ୍ରେଣ୍ଡ ତ୍ରିନାଙ୍କୁ ବିବାହ କରିଛନ୍ତି ସାଲଭେ । 68 ବର୍ଷ ବୟସରେ ସାଲଭେଙ୍କ ତୃତୀୟ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ପ୍ରତିଷ୍ଠିତ ଇଣ୍ଡଷ୍ଟ୍ରିଆଲିଷ୍ଟ ନୀତା ଅମ୍ବାନି, ସୁନୀଲ ମିତଲ, ଗୋପି ହିନ୍ଦୁଜାଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ସାଲଭେଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

ସାଲଭେ ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି । ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷି ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି । ବିବାହର 38 ବର୍ଷ ପରେ 2020ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ 2020ରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ । ପୂର୍ବତନ ସଲିସିଟର ଜେନେରାଲ୍ ସାଲଭେ ବହୁ ହାଇ୍ରୋଫାଇଲ କେସ ଲଢ଼ି ଚର୍ଚ୍ଚାକୁ ଆସିଥିଲେ ।

ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲାଠାରୁ ଆରମ୍ଭ କରି ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ମଧ୍ୟ ସେ ଅଂଶବିଶେଷ ଥିଲେ । ଗୋଟିଏ କେସ୍ ଶୁଣାଣି ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ନେଉଥିବା ସାଲଭେ କୂଳଭୂଷଣ ମାମଲାରେ ମାତ୍ର ୧ଟଙ୍କା ନେଇ କେସ୍ ଲଢ଼ିଥିଲେ । ନଭେମ୍ବର ୧୯୯୯ ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ । ଟାଟା ଗ୍ରୁପ ଓ ରିଲାଏନ୍ସ ସାଲଭେଙ୍କ କ୍ଲାଏଣ୍ଟ ।