ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟୋନି ବ୍ଲେୟାର, 5T ବ୍ୟବସ୍ଥାକୁ ପ୍ରଶଂସା କଲେ ଟୋନି ବ୍ଲେୟାର

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର । ଏହି ଅବସରରେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ସହ ପୂର୍ବରୁ MoU ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷର ହୋଇଛି । ଏହାଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । UKର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ । ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥାକୁ ଟୋନି ବ୍ଲେୟାର ପ୍ରଶଂସା କରିଛନ୍ତି ।