ଓଡ଼ିଶା ବିହନ ବଦଳରେ ଆନ୍ଧ୍ର ବିହନ ମୋହରେ ଗଜପତି ଜିଲ୍ଲା ଚାଷୀ

ଗଜପତି : ଓଡ଼ିଶା ବିହନ ଉପରେ ନାହଁ ଚାଷୀଙ୍କ ଭରସା । ବ୍ଳକ, ଲେମ୍ପ, ଡିଲରଙ୍କ ପାଖରେ ମହଜୁଦ ରହିଛି ବିହନ । ହେଲେ ବିହନ ପାଇଁ ଆନ୍ଧ୍ର ମୁହାଁ ଓଡ଼ିଶାର ଚାଷୀ  । ଏପରିକି ଓଡ଼ିଶା ବିହନକୁ ଛାଡ଼ି ଆନ୍ଧ୍ର ବିହନ କିଣୁଛନ୍ତି ସୀମାନ୍ତ ଗଜପତି ଜିଲ୍ଲାର ଚାଷୀ । ଚାଷୀଙ୍କ କହିବା କଥା ଓଡ଼ିଶାର ବିହନ ଠାରୁ ଆନ୍ଧ୍ର ବିହନର ମାନ କୁଆଡ଼େ ଅଧିକ, ଆଉ ଅଧିକ ଫସଲ ଅମଳ ହୁଏ । ତେଣୁ ଅଧିକ ଦାମ ହେଲେ ବି ସେହି ବିହନ ହିଁ ବ୍ୟବହାର କରୁଛୁ । ଆଉ ଓଡ଼ିଶା ବିହନ ଚାଷ କଲେ କ୍ଷତି ସହିବାର ଆଶଙ୍କା ଅଧିକ ଅଛି ।  ଅଧିକ କେଳି ସହ ଅମଳ କମ ରହୁଛି। ପୁଣି ଆବଶ୍ୟକ କିସମର ଧାନ ବିହନ ମିଳୁନାହିଁ ବୋଲି କହିଛନ୍ତି ଚାଷୀ । ତେଣୁ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟି ହେଉଛନ୍ତି ଗଜପତି ଜିଲ୍ଲାର ଚାଷୀ ।

ଏସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ରବିନ୍ଦ୍ର କୁମାର ଅଧେକଙ୍କ କହିବା କଥା, ସବୁ ବିହନର ପରୀକ୍ଷଣ ପ୍ରଣାଳୀ ସମାନ । ଓଡ଼ିଶା ବିହନରେ ଆବଶ୍ୟକୀୟ ଗୁଣବତ୍ତା ରହିଛି । ରୋଗ ପୋକର ଆଶଙ୍କା କମ ରହିଥାଏ ଏବଂ କମ୍ ଦାମରେ ଚାଷୀ ପାଇପାରିବେ । କମ ସାର, ଔଷଧ ବ୍ୟବହାର କରି ଭଲ ଅମଳ କରିପାରିବେ । ତେବେ ଜିଲ୍ଲାରେ ଚଳିତ ବର୍ଷ ହିଁ ଆନ୍ଧ୍ର ବିହନ ବ୍ୟବହାର କରୁଛନ୍ତି ତାହା ନୁହଁ , କିଛି ବର୍ଷ ହେଲା ପ୍ରତ୍ୟେକ ଋତୁରେ ଚାଷୀ ଆନ୍ଧ୍ରର ବିହନ ବ୍ୟବହାର କରୁଛନ୍ତି । ଆନ୍ଧ୍ର ବିହନରେ ପେକିଂ ଚକାଚକ ସାଙ୍ଗକୁ ବିହନ ଅଧିକ ସଫା । ତେଣୁ ଚାଷୀମାନେ ଆନ୍ଧ୍ର ବିହନ କିଣିବାକୁ ଆକୃଷ୍ଟ ହେଉଥିବା କହିଛନ୍ତି ଚାଷୀ ନେତା ସୁର୍ଯ୍ୟ ନାରାୟଣ ପଟ୍ଟନାୟକ । ବିହନର ମାନ ହେଉ ଅବା ସଚେତନତା ଅଭାବ ହେଉ । କାଳବଜାରୀ କରୁଥିବା ବ୍ୟବସାୟୀଙ୍କଠୁ ଚାଷୀ ଚଢ଼ା ଦରରେ ବିହନ କିଣୁଛନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ଉପରେ ଭରସା କରୁନାହାନ୍ତି । କେଉଁଠି ନା କେଉଁଠି ବିଭାଗର ଦୁର୍ବଳତା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।