ଓଡିଶା ସୀମାନ୍ତବାସୀଙ୍କୁ ତୁରନ୍ତ ଗାଁ ଖାଲି କରିବାକୁ ଆନ୍ଧ୍ର ପ୍ରଶାସନର ଧମକ

ଗଜପତି : ଆନ୍ଧ୍ରର ଦାଦାଗିରି । ପୁଣି ତେଜିଲା ସୀମା ବିବାଦ । ଓଡିଶା ସୀମାନ୍ତବାସୀଙ୍କୁ ବେଦଖଲ ନିର୍ଦ୍ଦେଶ । ନଚେତ ଆନ୍ଧ୍ରରେ ମିଶିଯିବାକୁ ମିଳିଛି ଧମକ । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଓଡିଶା ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତବାସୀଙ୍କୁ ଆନ୍ଧ୍ର ପ୍ରଶାସନ ଦେଇଛି ଧମକ । ଗତ ୧୫ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମନ୍ଦୁସାର ମଣ୍ଡଳ ଅଧିକାରୀ ମାନେ ଗଙ୍ଗାବାଡ ପଞ୍ଚାୟତ ଗସ୍ତ କରି ଏହି ଅଞ୍ଚଳ ଆନ୍ଧ୍ର ଅଧୀନରେ ଆସୁଛି । ଏଠାରେ କୋଠାବାଡି, ଘରଦ୍ଵାର, ରାସ୍ତାଘାଟ ନିର୍ମାଣ ପାଇଁ କିଏ ଅନୁମତି ଦେଲା ବୋଲି ପଚାରି ତୁରନ୍ତ ଗାଁ ଖାଲି କରିବାକୁ ଧମକାଇ ଥିଲେ । ଗାଁ ଖାଲି ନକଲେ ତୁରନ୍ତ ଆନ୍ଧ୍ରରେ ମିଶିଯାଅ ବୋଲି ନାଲିଆଖି ଦେଖାଇଥିଲେ । ଆନ୍ଧ୍ରରେ ସାମିଲ ହେଲେ ଘର ଜମି ପଟ୍ଟା ଠାରୁ ଆରମ୍ଭ କରି ଅନ୍ଯାନ୍ଯ ସୁବିଧା ସୁଯୋଗ ପାଇବ । ଆଉ ଉଚ୍ଛେଦ ନକଲେ ଆମେ ସେ ସବୁ ଭଙ୍ଗାରୁଜା କରିବୁ ବୋଲି ଅମାରିଙ୍ଗି ବାସିନ୍ଦାଙ୍କୁ ତାଗିଦ କରିଛନ୍ତି ଆନ୍ଧ୍ର ଅଧିକାରୀ । ଖବର ପାଇ ଉପଜିଲ୍ଲାପାଳ, ରାୟଗଡ ବ୍ଳକ ଉନ୍ନୟନ ଅଧିକାରୀ, ସିଡିପିଓ, ରାଜସ୍ବ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି । ପୂର୍ବରୁ ଉଭୟ ରାଜ୍ୟର ମିଳିତ ବୁଝାମଣାରେ ପ୍ରସ୍ତୁତ ହୋଇଥିବା ମ୍ୟାପକୁ ଦେଖି ସେସବୁ ଜାଗା ଓଡିଶା ସୀମା ମଧ୍ଯରେ ଥିବା ସୁନିଶ୍ଚିତ କରିଛନ୍ତି । ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଆନ୍ଧ୍ରର ଏଭଳି ଦାଦାଗିରିକୁ ନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ ସରପଞ୍ଚ । ସୀମାକୁ ନେଇ ବିବାଦ ନୂଆ କଥା ନୁହେଁ । ଦୀର୍ଘ ୧୮ ବର୍ଷ ହେଲା ଲାଗି ରହିଛି ଏହି ବିବାଦ । କେତେବେଳେ ଜଙ୍ଗଲ, ଜଳ ତ କେତେବେଳେ ଜମିକୁ ନେଇ ଉଠୁଛି ବିବାଦ । ଯାହା ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନି । ସ୍ଥାୟୀ ଘର ଅବା ଜମି ପଟ୍ଟା ନଥିବା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଁଲୋକେ । ଏଯାଏଁ ଘର, ଚାଷଜମି ତଥା ଜଙ୍ଗଲ ଜମି ପଟ୍ଟା ଦିଆଯାଇନାହିଁ । ଜମି ପଟ୍ଟା ଥିଲେ ଆମର ଅଧିକାର ସାବ୍ୟସ୍ତ କରି ପାରିଥାଆନ୍ତୁ । ବର୍ତ୍ତମାନ ସରକାର ବିବାଦର ସ୍ଥାୟୀ ସମାଧାନ କରିବାକୁ ସେ ଦାବି କରିଛନ୍ତି । ଯଦି ସୀମାକୁ ନେଇ ବିବାଦ ଉଠୁଛି, ତେବେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଧମକ ଦେବା, ପ୍ରଲୋଭନ ଦେଖାଇବା ପଛରେ କ’ଣ ରହିଛି କାରଣ ? କେଉଁ ଆଧାରରେ ଆନ୍ଧ୍ର ଅଧିକାରୀ ଓଡ଼ିଶା ସୀମା ଲଙ୍ଘନ କରୁଛନ୍ତି ? ଆନ୍ଧ୍ର ରାଜସ୍ବ ବିଭାଗ ଆମର ବୋଲି କହୁଛି ? ଆଉ କେତେ ଅପ୍ରୀତିକର ଘଟଣା ଘଟିବା ପରେ ସରକାରଙ୍କ ଚେତା ପଶିବ ?