୧୨ ବର୍ଷ ବୟସରେ ମଧ୍ୟପ୍ରଦେଶକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ, ୬୦ ବର୍ଷ ପରେ ଏମିତି ଘରକୁ ଫେରିଲେ…

ଗଜପତି: ଗାଁକୁ ଫେରିଲେ ୬୦ ବର୍ଷ ତଳେ ନିଖୋଜ ହୋଇଯାଇଥିବା ବ୍ୟକ୍ତି । ଖୁସିରେ ବନ୍ଦାପନା କରି, ପାଦ ଧୋଇ ସ୍ୱାଗତ କଲେ ଗ୍ରାମବାସୀ । ୧୨ ବର୍ଷ ବୟସରେ ମଧ୍ୟପ୍ରଦେଶର ହୁରସିଂଗାବାଦ୍ ଜିଲ୍ଲା ବାଣାପୁରକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଗଜପତି ଜିଲ୍ଲା ମୋହନ । ବ୍ଲକ ଲୁହାଗୁଡ଼ିର ଗୋବର୍ଦ୍ଧନ ଲୋହରା । ପରିବାର ଲୋକ ବିଭିନ୍ନ ସ୍ଥାନରେ ବହୁ ଖୋଜା ଖୋଜି ପରେ ବି ଗୋବର୍ଦ୍ଧନଙ୍କ କୌଣସି ସନ୍ଧାନ ପାଇନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବିଥିଲେ ପରିବାର ଲୋକ ।

ହେଲେ ସେହି ସମୟରେ ଏକ ଅଘଟଣର ଶିକାର ହୋଇଥିଲେ ଗୋବର୍ଦ୍ଧନ । ସେ କାମ କରୁଥିବା କମ୍ପାନୀ ମାଲିକ ମଜୁରୀ ନଦେବାରୁ ବିନା ଟିକେଟରେ ଟ୍ରେନରେ ଚଢ଼ି ଗାଁକୁ ଫେରି ଆସୁଥିଲେ ଗୋବର୍ଦ୍ଧନ । ହେଲେ ଅଧା ରାସ୍ତାରେ ଟିଟିଆଇ ତାଙ୍କୁ ଧରି ନାଗପୁର ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ୧୫ ଦିନ ଷ୍ଟେସନରେ ପଡ଼ି ରହିବା ପରେ କିଛି ଲୋକ ଗୋବର୍ଦ୍ଧନଙ୍କୁ ପାଗଳ ବୋଲି ଭାବି ପାଗଳ ଖାନାରେ ଭର୍ତ୍ତି କରି ଦେଇଥିଲେ ।

କିନ୍ତୁ ସେ ପାଗଳ ନୁହେଁ ବୋଲି ଜାଣିବା ପରେ ସେଠାରୁ କାଢ଼ି ତାଙ୍କୁ ଏକ ହୋଟେଲରେ ଛାଡ଼ି ଦେଇଥିଲେ । ସେଠାରେ ସେ କାମ କରି ଜୀବନ ବିତାଇବା ସହ ବିବାହ କରି ଘର ସଂସାର କରିଥିଲେ । ହେଲେ ଦୀର୍ଘ ବର୍ଷ ପରେ ଗାଁ ଲୋକଙ୍କ ସହ ପରିଚୟ କରାଇଦେଲା ସୋସିଆଲ ମିଡ଼ିଆ । ଦୀର୍ଘ ୬୦ ବର୍ଷ ପରେ ପରିବାର ଲୋକଙ୍କୁ ମନେ ପକାଇ ସେ ଲୁହାଗୁଡି ଗାଁକୁ ଫେରିଛନ୍ତି । ଫେରିବା ସମୟରେ ସେ ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ବାଇଁ ଓ ଦୁଇ ନାତିଙ୍କୁ ସାଙ୍ଗରେ ନେଇ ଆସିଛନ୍ତି । ସେପଟେ ଦୀର୍ଘ ୬୦ ବର୍ଷ ପରେ ଭାଇ କୁ ପାଇ ଖୁସି ହୋଇଛନ୍ତି ତାଙ୍କ ସାନ ଭଉଣୀ ।