ଗଲବାନ୍ ଘାଟି,ସେହି ସ୍ଥାନ ଯେଉଁଠି ୧୯୬୨ରେ ଚୀନ୍ ଦେଇଥିଲା ଧୋକା

ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଜାରି ଥିବା ଉତ୍ତେଜନା ଭିତରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ଯେଉଁଥିରେ ଭାରତ ପଟୁ ଜଣେ କର୍ଣ୍ଣେଲ ରାଙ୍କ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୫ ଜଣ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଏହି ଘଟଣା ଗଲବାନ ଘାଟିରେ ଘଟିଛି । ସେହି ଗଲବାନ ଘାଟି ଯେଉଁଠି ଚୀନ୍ ୧୯୬୨ ମସିହାରେ ଭାରତକୁ ଧୋକା ଦେଇଥିଲା ।

ଗଲବାନ ଘାଟି ଲଦାଖର ଗୋଟିଏ ଅଂଚଳ । ଏହି ଘାଟି ଦେଇ ଯାଇଛି ଗଲବାନ ନଦୀ । ଗଲବାନ୍ ଘାଟିରେ ୧୯୬୨ ମସିହାରେ ଭାରତ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ବିବାଦୀୟ କ୍ଷେତ୍ରରେ ଗତ କେଇ ବର୍ଷ ଧରି ଚୀନ୍ ସେନା ଟେଣ୍ଟ୍ ପକାଇ ଆସୁଛି । ଚୀନର ପିପୁଲ’ସ ଲିବରେସନ୍ ଆର୍ମି ରଣନୀତିରେ ଏହା ଗୋଟିଏ ଅଂଶ । ଚୀନ୍ ସୈନିକଙ୍କୁ ଟେଣ୍ଟ୍ ପକାଇବାକୁ ମନା କରିବାରୁ ହିଁ ହିଂସା ହୋଇଛି ।

୫୮ ବର୍ଷ ତଳେ ଏହି ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏବେ ସେହି ଏକା ସ୍ଥାନରେ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘାଟିରେ ନଦୀ କୁଳରେ ଟେଣ୍ଟ୍ ଲଗାଇବାକୁ ନେଇ ଭାରତ ଓ ଚୀନ ସୀମାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଭାରତୀୟ ସେନା ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହେବା ପରେ ସ୍ଥିତି ଅଧିକ ବିପଜ୍ଜନକ ହୋଇ ପଡିଛି ।

କିଛି ଦିନ ଧରି ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ଚାଲୁଛି କିନ୍ତୁ ଆଲୋଚନା ଭିତରେ ହିଁ ଏଭଳି ହିଂସା ଘଟିଛି । ଚୀନ ବିବାଦର ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରୁଛି ବୋଲି କହୁଛି କିନ୍ତୁ ତା’ର କାମ ଅଲଗା କଥା କହୁଛି । କରୋନାକୁ ନେଇ ଚୀନ ଅନ୍ତର୍ଜାତୀୟ ମଂଚରେ ଅପଦସ୍ତ ହେଉଥିବା ବେଳେ ନିଜ ଭୁଲକୁ ଘଣ୍ଟ ଘୋଡାଇବା ପାଇଁ ପଡ଼ୋଷୀ ଦେଶଙ୍କ ସହ ଜାଣିଶୁଣି ବିବାଦ ସୃଷ୍ଟି କରୁଛି ।

Leave a Reply