ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି

1 min read

ବ୍ରହ୍ମପୁର : ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି । ଖାଲି ପଡିଛି ଅନେକ ପଦ ପଦବୀ । ଏକ ପ୍ରକାର କାମ ଚଳାରେ ଚାଲିଛି ସ୍ବାସ୍ଥ୍ୟସେବା । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗରିବ ରୋଗୀ । ଗଞ୍ଜାମ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ୬୯ % ପ୍ରତିଶତ ଡାକ୍ତର ପଦବୀ ଖାଲିପଡିଛି। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପରିଷଦଙ୍କୁ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ୧୦୭୭ ଡାକ୍ତର ରହିବା କଥା । ତେବେ ଏଥିରୁ ୩୩୧ ଡାକ୍ତର ରୋଗୀ ସେବା ଯୋଗଉଛନ୍ତି । ଆହୁରି ୭୪୬ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ୬୩୭ ରୁ ୪୨୪ ନର୍ସ ପଦବୀ ମଧ୍ଯ ଖାଲି ରହିଛି । ସେହିପରି ୧୦ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ୧୧୧ ଫାର୍ମାସିଷ୍ଟ, ୧୦୨୪ ବିଭିନ୍ନ ରେଡ଼ିଓଗ୍ରାଫର, ୪୧ ଲ୍ୟାବ ଟେକନିସିଆନ, ୩ ପିଏଚଇଓ, ୪ ଓପଲାମିକ ଆସିଷ୍ଟାଣ୍ଟ ପଦବୀ ଖାଲି ରହିଛି। ଜିଲ୍ଲାରେ  ମୋଟ ସ୍ବାସ୍ଥ୍ୟ ବିଭାଗରେ ୫୨.୪୮ ପ୍ରତିଶତ ବିଭିନ୍ନ ପଦ ପଦବୀ ଖାଲି ପଡିଥିବା ରିପୋର୍ଟରୁ ଜଣାପଡିଛି ।

ଜିଲ୍ଲାର ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିରେ ଉପଖଣ୍ଡ ହସ୍ପିଟାଲ ରହିଥିବା ବେଳେ ୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୯୩ ପ୍ରାଥମିକ ସେଣ୍ଟର ରହିଛି। ସ୍ବତନ୍ତ୍ର ନିଉ ବର୍ଣ୍ଣ କେୟାର ୟୁନିଟ ଛତ୍ରପୁର, ଆସିକା ଓ ହିଞ୍ଜିଳି ହସ୍ପିଟାଲରେ ନାହିଁ । ସେହିଭଳି ହିଞ୍ଜିଳି ଓ ଛତ୍ରପୁର ହସ୍ପିଟାଲରେ ନ୍ୟାସନାଲ ରିହାବିଲିଟେସନ ସେଣ୍ଟର ନାହିଁ । ଅପରପକ୍ଷରେ MKC, ବ୍ରହ୍ମପୁର ସିଟି ହସ୍ପିଟାଲ, ଛତ୍ରପୁର, ଭଞ୍ଜନଗର, ହିଞ୍ଜିଳି ଓ ଆସିକା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ସେଣ୍ଟର ରହିଛି । ହେଲେ ଡାକ୍ତର ଅଭାବରୁ ଏହି ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।  ଏହାର ପ୍ରତିକାର ପାଇଁ ସରକାର ତୁରନ୍ତ ଡାକ୍ତର ଦେବା ଆବଶ୍ୟକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟଧିକାରୀ ।