spot_img

Latest Posts

ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ,୪ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ଅଟୋରିକ୍ସା ମଧ୍ୟରେ ସାମ୍ନାସାମ୍ନି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟିଥିବା ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅଟୋଟି ଯାତ୍ରୀମାନଙ୍କୁ ନେଇ କୋଦଳା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ସେହି ସମାନ ରାସ୍ତାରେ ଏକ ବସ୍ ମାଡ଼ି ଆସିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସଟି ଅଟୋକୁ ପିଟିବା ପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଚାଲାକ ଜଣକ ବସ୍‌ ସହ ଘଟଣାସ୍ଥଳରୁ ଫେରାର ମାରିବାରେ ସଫଳ ହୋଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଜୁଟିଯାଇଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ଆହତମାନଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ। ସମସ୍ତ ଗୁରୁତର ଓ ଆହତ ବ୍ୟକ୍ତିଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ବର୍ତ୍ତମାନ ସୁଦ୍ଧା ମୃତ ଓ ଗୁରୁତର ଆହତମାନଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ।
ଅନ୍ୟପଟେ ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରାଯିବା ସହ ପୋଲିସ ଏକ ମାମଲା ରୁଜୁ କରିଛି। ଫେରାର ଥିବା ବସ୍ ଏବଂ ଏହାର ଚାଳକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

Latest Posts

Don't Miss