କୁହୁଡ଼ିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା : ଟାଙ୍ଗୀ କୁହୁଡ଼ିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଚାନ୍ଦପୁର ଦଶଦୋଳ ପଡିଆରେ ଉଭୟ ସାଂସଦ ଓ ବିଜେଡି ମୁଖପାତ୍ର ଅମିତ ମଲ୍ଲିକଙ୍କୁ ସ୍ବାଗତ କରାଯାଇଥିଲା । ବାଜା ବଜାଇ ପାଛୋଟି ନେଇଥିଲେ ଜନସାଧାରଣ । ଚାନ୍ଦପୁର ବିଜେଡି ଓ ବରିଷ୍ଠ ନାଗରିକ କମିଟି ପକ୍ଷରୁ ଉଭୟ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜନସାଧାରଣ । ଚାନ୍ଦପୁର ଡାକ୍ତରଖାନାର ଉନ୍ନତି ସହିତ ରାସ୍ତାର ଉନ୍ନତିକରଣ ପାଇଁ ଅନୁରୋଧ କରିଥିଲେ ଲୋକ । ସମସ୍ୟା ଅନୁଧ୍ୟାନ କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମିଟିର ସଭାପତି ଧନେଶ୍ବର ଅଗ୍ରଓ୍ବାଲ, ଚାନ୍ଦପୁର ସରପଞ୍ଚ ରଂଜିତା ବେହେରା, କନ୍ଧ ନୟାଗଡ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ଚାନ୍ଦପୁର ସେବା ସମବାୟ ସମିତି ସଭାପତି ଜମ୍ବେଶ୍ୱର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।