ମହାପ୍ରଭୁ ପିନ୍ଧିବେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ, ସେବାରେ ଲାଗିଛନ୍ତି ବୁଣାକାର ପରିବାର

ଆଠଗଡ଼ : ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ପିନ୍ଧିବେ ଖଣ୍ଡୁଆ ପାଟ । ସେଥିପାଇଁ ମନ ଧ୍ୟାନ ଦେଇ ଖଣ୍ଡୁଆ ପାଟ ବୁଣିବାରେ ଲାଗିଛନ୍ତି ବୁଣାକାର ପରିବାର । ଗୃହକୁ ଅତି ଶୁଦ୍ଧପୂତ ଭାବେ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସ୍ବାତ୍ତିକ ଆହାର ଭୋଜନ କରି ମହାପ୍ରଭୁଙ୍କ ସେବାରେ ଲଗାଛନ୍ତି ପୂରା ପରିବାର ।

କିଏ ସୂତା ଯୋଡୁଛି ତ ଆଉ କିଏ ପାଟ ସୁତାରେ ଥିବା ଗୀତଗୋବିନ୍ଦ ବୁଣିବାରେ ବ୍ୟସ୍ତ ରହିଛି । ଏହାକୁ ପେଶା ନୁହେଁ ବରଂ ସେବା ଭାବରେ ଭାବିନେଇ ବେସ ଖୁସିର ସହ ବୁଣୁଛନ୍ତି ଆଠଗଡ଼ ନୁଆପାଟଣାର ତ୍ରିଲୋଚନ ଦାସଙ୍କ ପରିବାର । କେବଳ ତ୍ରିଲୋଚନ ଦାସଙ୍କ ପରିବାର ନୁହେଁ, ଏମିତି ଆହୁରି ଅନେକେ ପରିବାର ଏହି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ କେମିତି ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ଏହିସମସ୍ତ ବସ୍ତ୍ର ପହଞ୍ଚିବ ସେଥିପାଇଁ ଚଳଚଞ୍ଚଳ ବୁଣାକାର ପରିବାର ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ପର୍ବ । ସବୁ ପର୍ବ ପର୍ବାଣୀରେ ଶ୍ରୀଅଙ୍ଗରେ ଲାଗି ହୁଏ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ଏମିତିକି ସପ୍ତାହକ ସାତ ଦିନ ସାତ ପ୍ରକାରର ବସ୍ତ୍ର ପରିଧାନ କରିଥାନ୍ତି ମହାପ୍ରଭୁ । ନିଜ ବୁଣା ପାଟଲୁଗା ପିନ୍ଧି ମହାପ୍ରଭୁ ରତ୍ନ ସିଂହାସନରେ ବସନ୍ତୁ କି ସ୍ନାନ ମଣ୍ଡପରେ । ରଥ ଉପରେ ହେଉ କି ଆଡ଼ପ ମଣ୍ଡପରେ । ସବୁଠି ମହାପ୍ରଭୁଙ୍କୁ ଦେଖିଲେ ଆନନ୍ଦ ଲାଗେ ବୋଲି କହିଛନ୍ତି ପରିବାର ଲୋକ ।