ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର

1 min read

କଟକ: ଚିଟ ଫଣ୍ଡ କମ୍ପାନୀ GLP ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପରସ ଲିମିଟେଡରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ପାଇଁ ଖୁସି ଖବର । ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖି ଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇମାସ ମଧ୍ୟରେ 8 ହଜାର ଟଙ୍କା ଲେଖାଏଁ ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ୮ ହଜାର ଟଙ୍କା କିମ୍ବା ଏହି ରାଶିରୁ କମ କ୍ଷୁଦ୍ର ଜମାକାରୀଙ୍କୁ ଏହି ରାଶି ଫେରସ୍ତ କରାଯିବ । ଏନେଇ କଟକ ଏଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

GLP ଡେଭଲପର୍ସ ଲିମିଟେଡ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ କମ୍ପାନୀ ପକ୍ଷରୁ ରୁଜୁ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀର ମୋଟ 8 ଲକ୍ଷ ଜମାକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ 6 ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । 15 ହଜାର କ୍ଷୁଦ୍ର ଜମାକାରୀଙ୍କୁ ୧୦ ହଜାର କିମ୍ବା ଏହି ରାଶିରୁ କମ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ଆବେଦନକାରୀ । କମ୍ପାନୀର ଯେଉଁ ଟଙ୍କା ଜବତ କରାଯାଇଛି ସେସବୁକୁ କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି କୋର୍ଟଙ୍କ ନିକଟରେ କମ୍ପାନୀ ପକ୍ଷରୁ ପାର୍ଥନା କରାଯାଇଥିଲା ।

ଏହି କ୍ରମରେ ୮ ହଜାର କିମ୍ବା ଏହି ରାଶିରୁ କମ କ୍ଷତିଗ୍ରସ୍ତଙ୍କୁ ଜବତ ଟଙ୍କା ଫେରସ୍ତ କରାଯାଇପାରିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ । ଜବତ ଟଙ୍କା ଶେଷ ହେବା ପରେ ଅବଶିଷ୍ଟ ରାଶି ସମ୍ପତ୍ତି ନିଲାମ କରି ଫେରସ୍ତ କରିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ସମ୍ପର୍କିତ ମାମଲାର ଶୁଣାଣି କରି ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ । ଏନେଇ ଆବେଦନକାରୀ ପକ୍ଷରୁ କୃତଜ୍ଞତା ଜଣାଯାଇଛି । ମାମଲାର ପରିଚାଳନା କରୁଥିଲେ ହାଇକୋର୍ଟର ସିନିଅର ଆଡଭୋକେଟ ମିଳନ କାନୁନଗୋ ।