ଭକ୍ତଙ୍କ ପାଇଁ ଖୁସି ଖବର, ମନ୍ଦିରରେ ଜାଗର ଦୀପ ଜାଳିବା ପାଇଁ ମିଳିଲା ଅନୁମତି

Odisha Maha Shivaratri

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ବଡ଼ ଖବର । ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିବା ନେଇ ଭକ୍ତଙ୍କୁ ମିଳିଲା ଅନୁମତି । ତେବେ ଅଧିକ ଭିଡ ଜମିଲେ ପୁଣି ଲଗୁ କରାଯାଇପାରେ କଟକଣା । ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଭକ୍ତଙ୍କୁ ମନ୍ଦିରରେ ଦୀପ ଜାଳିବା ନେଇ ଅନୁମତି ରହିଛି । ସାମାଜିକ ଦୂରତା ନ ମାନିଲେ ବାତିଲ ହୋଇପାରେ ଅନୁମତି ବୋଲି ସିଧାସଳଖ କୁହାହାଯାଇଛି । ମନ୍ଦିର ବୁଲିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । ଏବେ ସକାଳୁ ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ବିଶେଷ ଭିଡ଼ ଦେଖାଯାଇ ନାହିଁ । ସମସ୍ତେ କରୋନା କଟକଣା ଭିତରେ ରହି ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖାଯାଇଛି ।

ସେପଟେ ଜାଗର ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ଯଥା ବିଧି ନୀତିକାନ୍ତି ସମ୍ପନ୍ନ ହୋଇଛି । ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହୋଇଛି । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିଛନ୍ତି ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହୋଇଛି ।

ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ ରହିଛି । ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ  ୪ଟା ୪୫ ଯାଏ କରି ହେବ ।

ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

Leave a Reply