ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
1 min read
ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଇଜି ସାଇନି ଏସ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି ଆଇଜି । ଅନ୍ଯପଟେ ପୀଡିତା ଓ ପୁରୁଷବନ୍ଧୁ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ସ୍ଥାନ ବୁଲି ଦେଖିଛନ୍ତି ଏସପି ଶର୍ବଣା ବିବେକ ଏମ., ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର ଅଧିକାରୀ। ଟିମ ସହିତ ପରିବହନ ମନ୍ତ୍ରୀ ମଧ୍ଯ ଗଣଦୁଷ୍କର୍ମ ସ୍ପଟ ବୁଲି ଦେଖିଥିଲେ। ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରାଯିବ । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକୀକରଣ କରାଯିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି । ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା କରାଯାଇ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ସରକାର । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୬ ଜଣ ସାବାଳକ ଥିବାବେଳେ ଗିରଫଙ୍କ ମଧ୍ଯରେ ୪ ଜଣ ନାବାଳକ ଅଛନ୍ତି । ୬ ସାବାଳକ ହେଲେ କୁନାଳ ପ୍ରଧାନ, ପ୍ରମୋଦ ନାୟକ, ଲକ୍ଷ୍ମଣ ପ୍ରଧାନ, ଓମ ପ୍ରଧାନ, ବାବୁରାମ ଦଳାଇ ଓ ଦୀପକ ତରାଇ । ଅନ୍ଯପଟେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ୧୦ ଅଭିଯୁକ୍ତଙ୍କ ମଧ୍ଯରୁ ୩ ଜଣ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ୭ ଜଣ ସହଯୋଗ କରିଥିବା ସୂଚନା ମିଳିଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନହୁଏ ତାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।