କିଏ ସେଇ ଗ୍ରାଣ୍ଡ ମୁଫତି ଯିଏ ନିମିଷାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ କରାଇଲେ, କ’ଣ ତାଙ୍କ କାମ ?

ନନ୍ଦିଘୋଷ ବ୍ୟୁରୋ: ୟେମନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି । ଭାରତର ଗ୍ରାଣ୍ଡ ମୁଫତି ଶେଖ ଅବୁବକର ନିମିଷାଙ୍କ ପାଇଁ ଭଗବାନ ସାଜିଛନ୍ତି । ତାଙ୍କ କାରଣରୁ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଆଉ ଏହାକୁ ନେଇ ୯୪ ବର୍ଷିୟ କନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ ନାଁ ଚର୍ଚ୍ଚାରେ ରହିଛଇ । ଏ ହେଉଛନ୍ତି ସେହି ମୌଲାନା ଯାହାଙ୍କ ନାଁରେ ଗ୍ରାଣ୍ଡ ମୁଫତି ଲାଗିଛି । ଆସନ୍ତୁ ଜାଣିବା କ’ଣ ଏହି ଗ୍ରାଣ୍ଡ ମୁଫତି ଉପାଧିର ଅର୍ଥ, କାହା ନାଁରେ ଏହାକୁ କେବେ ଠାରୁ ଲଗାଯାଉଛି ଓ ଭାରତରେ ଏହି ଗ୍ରାଣ୍ଡ ମୁଫତି କେମିତି ଚୟନ ହୋଇଥାନ୍ତି ।
ମୁସଲିମ ଦେଶରେ ଗ୍ରାଣ୍ଡ ମୁଫତି ଏକ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ଧାର୍ମିକ ପଦ । ଏହି ଉପାଧି ପାଉଥିବା ବ୍ୟକ୍ତିଙ୍କ କାମ ହେଲା ଶରିୟା ଅନୁସାରେ ଲୋକଙ୍କୁ ମାର୍ଗଦର୍ଶନ ଦେବା ଓ ଇଓଲାମିକ ନ୍ୟାୟ ବ୍ୟବସ୍ଥାକୁ ଆଗକୁ ନେବା ।
ଗ୍ରାଣ୍ଡ ମୁଫତିଙ୍କ କାମ କ’ଣ ?
ଏହି ଉପାଧି ପାଉଥିବା ବ୍ୟକ୍ତିଙ୍କ ପାଖରେ ଧର୍ମ ସହ ଜଡିତ ବହୁତ ଦାୟିତ୍ବ ରହିଥାଏ । ଧାର୍ମିକ ପ୍ରଶ୍ନର ଉତ୍ତର ଦେବା, ଫତଓ୍ବା ଲଗାଇବା, ଶରିୟା ଆଇନର ବାଖ୍ୟା କରିବା ଓ ଧାର୍ମିକ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା । ଏହାବାଦ ଇସଲାମ ପର୍ବ ଯେମିତିକି ରମଜାନ, ଇଦ ତାରିଖ ସ୍ଥିର କରିବା ଓ ମସଜିଦ ଏବଂ ଧାର୍ମିକ ସଂସ୍ଥାଙ୍କ ଉପରେ ନଜର ରଖିବା ଏମାନଙ୍କ କାମ ।
କେମିତି ମିଳିଥାଏ ଏହି ପଦ ?
ଏହା ଏମିତି ଏକ ପଦ ଯାହା ଶରିୟା ଆଇନ ଆଣିଥାନ୍ତି, ଫତସ୍ବା ଲଗାନ୍ତି ଓ ଇସଲାମ ତୀନି ଏବଂ ନିୟମ ଉପରେ ଶେଷ ନିଷ୍ପତ୍ତି ନେଇଥାନ୍ତି । ଏଥିପାଇଁ ଉକ୍ତ ବ୍ୟକ୍ତଙ୍କ ପାଖରେ ଇସଲାମକୁ ନେଇ ଗଭୀର ଜ୍ଞାନ ଥିବାର ଆବଶ୍ୟକତା ରହିଛି । ଏହି କାରଣରୁ ଗ୍ରାଣ୍ଡ ମୁଫତି ଏକ ଉଚ୍ଚତମ ଉପାଧି ହୋଇଥାଏ । କେହି ବି ଯୋଗ୍ୟ ମୁସଲିମ ଏହି ଉପାଧି ପାଇ ପାରିବେ । ହେଲେ ଗ୍ରାଣ୍ଡ ମୁଫତି ଜାତୀୟ ତଥା କ୍ଷେତ୍ରୀୟ ସ୍ତରରେ ବଡ଼ ପଦ ହୋଇଥାଏ । ଯେମିତି ଶେଖ ଅବୁବକର ଭାରତର ୧୦ମ ଗ୍ରାଣ୍ଡ ମୁଫତି ।
ଭାରତରେ କେମିତି ହୋଇଥାଏ ଚୟନ ?
ଭାରତ ସରକାର ଗ୍ରାଣ୍ଡ ମୁଫତିଙ୍କୁ ନିଯୁକ୍ତି ଦେଇ ନଥାନ୍ତି । ଏହା କୌଣସି ସାମ୍ବିଧାନିକ କି ସରକାରୀ ପଦ ନୁହେଁ । ଗ୍ରାଣ୍ଡ ମୁଫତିଙ୍କ ଜୟନ ମୁସଲିମ ସମାଜ, ଉଲେମା ଏବଂ ମୁସଲମାନ ସଂଗଠନ କରିଥାନ୍ତି । ଏହି ଚୟନ ପାଇଁ କୌଣସି ନିର୍ଦ୍ଧାରିତ ପ୍ରକ୍ରିୟା ନଥାଏ । ହେଲେ ବରେଲଓ୍ବି କିମ୍ବା ସୁନ୍ନି ମୁସଲମାନ ସଂଗଠନ ଯେମିତିକି ହାରୁଲ ଉଲୁମ, ଅଲ ଜାମିୟତୁଲା ଅଶରଫିଆ, ଦାରୁଲ ଉଲମ ମନିରିୟା ମିଶି ବରିଷ୍ଠ ଉଲେମାଙ୍କ ନାଁ ଏହି ଉପାଧି ପାଇଁ ଘୋଷଣା କରିଥାନ୍ତି । ଜ୍ଞାନ ଓ ବରିଷ୍ଠତା ଆଧାରରେ ଏହି ଚୟନ ହୋଇଥାଏ । ଯାହାଙ୍କ ପାଖରେ ଇସଲାମିକ ଆଇନ, ତଫସିର, ହଦିସ ଓ ଆରବୀ ଜ୍ଞାନ ଥାଏ । ବରିଷ୍ଠ, ସମ୍ମାନିତ ଓ ନିଷ୍କଳଙ୍କ ଛବି ଥିବା ବ୍ୟକ୍ତିଙ୍କୁ ଏହି ପଦ ଦିଆଯାଇଥାଏ । ପୂରା ସମୁଦାୟ କିମ୍ବା ମୁସଲମାନ ସଂଗଠନର ଏକ ବଡ଼ ବର୍ଗ ମାନ୍ୟତା ଦେବା ଆବଶ୍ୟକତା ରହିଥାଏ ।
ଭାରତର ୧୦ମ ଗ୍ରାଣ୍ଡ ମୁଫତି
ଶେଖ ଅବୁବକର ଭାରତର ୧୦ମ ଗ୍ରାଣ୍ଡ ମଫତି । ସେ ଦକ୍ଷିଣ ଭାରତର ପ୍ରଥମ ସାଫି ସ୍କଲର । ସେ ଅଲ ଇଣ୍ଡିଆ ମୁସିଲିମ ସ୍କଲଶର୍ସ ଆସୋସିଏସନର ମହାସଚିବ ଏବଂ ଭାରତର ପ୍ରମୁଖ ଶିକ୍ଷଣିୟ ଏବଂ ମାନବୀୟ ସଂସ୍ଥା ଜାମିୟା ମରକଜ ସକାଫୁତ ସୁନ୍ନିୟାର ସଂସ୍ଥାପକ ଏବଂ କୁଳପତି । ଜୋର୍ଡନରୁ ପ୍ରକାଶିତ ୫୦୦ ପ୍ରଭାବଶାଳୀ ମୁସଲିମ ପତ୍ରିକା ଶେଖ ଅବୁବକରଙ୍କୁ ଦୁନିଆର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ମଧ୍ୟରୁ ଜଣେ ବୋଲି ମାନିଥାନ୍ତି । ଭାରତର ସବୁ ରାଜ୍ୟରେ କାର୍ଯ୍ୟରତ ଆଲ୍ ଇଣ୍ଡିଆ ଇସଲାମିକ ସ୍କଲାର୍ସ ଆସୋସିଏସନର ସେ ମହାସଚିବ ଅଛନ୍ତି । ଭାରତ ଓ ଆରବ ଜଗତରେ ଅନାଇ ଏବଂ ବେସାହାରଙ୍କୁ ସହାୟତା କରିବା ପାଇଁ ଶେଖ ଅବୁବକରଙ୍କୁ ଅନାଥଙ୍କ ବାପା (ଅବୁଲ ଅୟତମ) ଭାବେ ପରିଚିତ । ସେ ଆରବୀ, ଉର୍ଦ୍ଦୁ ଏବଂ ମଲୟାଲମ ଭାଷାରେ ୬୦ରୁ ଅଧିକ ବହି ଲେଖିଛନ୍ତି । ୫ ହଜାରରୁ ଅଧିକ ସାଂସ୍କୃତିକ କେନ୍ଦ୍ରର ନିର୍ମାଣ କରିଛନ୍ତି । ଗତ ୪ ଦଶନ୍ଧୀ ହେବ ଭାରତରେ ସେ ଅନ୍ତରାଷ୍ଟ୍ରୀୟ ଶାନ୍ତି ସମ୍ମିଳନୀର ପରିଚାଳନା କରି ଆସୁଛନ୍ତି ।