ଛାତ୍ରୀ ମୃତ୍ୟୁ ପରେ ସରକାରଙ୍କ ଭାଙ୍ଗିଲା ନିଦ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ସରକାରଙ୍କ ନିର୍ଦ୍ଦେଶ

1 min read

ଭୁବନେଶ୍ବର : ବାଲେଶ୍ବର ଛାତ୍ରୀ ମୃତ୍ୟୁ ପରେ ସରକାରଙ୍କ ନିଦ ଭାଙ୍ଗିଲା । କାର୍ଯ୍ୟକ୍ଷେତ୍ରରେ ବିଶେଷକରି ଶିକ୍ଷାନୁଷ୍ଠାନରେ ମହିଳାମାନେ କେତେ ସୁରକ୍ଷିତ ସେ ନେଇ ସୁନିଶ୍ଚିତ କରିବାକୁ ସରକାର ଅଣ୍ଟା ଭିଡିଛନ୍ତି । ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସବୁ କାର୍ଯ୍ୟକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଆଇନ-୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବା ପାଇଁ ସରକାର ଅଧିକାଂଶ ସମୟରେ ନିର୍ଦ୍ଦେଶ ଜାରି କରିଆସୁଛନ୍ତି । ଏବେ ସମସ୍ତ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି-ଆଇସିସି ଗଠନ ଏବଂ ପୁନଃଗଠନ ସହିତ କାର୍ଯ୍ୟାନ୍ୱୟନ ସମୀକ୍ଷା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଇନର ସମସ୍ତ ବ୍ଯବସ୍ଥାଗୁଡିକୁ ପାଳନ ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଛାତ୍ରୀମାନଙ୍କ ପାଇଁ ସେମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ-ଭାବପ୍ରବଣତାର ସୁରକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ମଧ୍ୟ ଜରୁରୀ ବୋଲି କୁହାଯାଇଛି । ଲିଙ୍ଗ ସମାନତା କାର୍ଯ୍ୟକ୍ରମ ବର୍ଣ୍ଣାଳି ପାଠ୍ୟକ୍ରମକୁ ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସାମାଜିକ ପାଠ୍ୟକ୍ରମ ସହିତ କଡ଼ାକଡ଼ି ଅନୁସରଣ କରାଯିବାକୁ କୁହାଯାଇଛି । ଯାହାଦ୍ବାରା ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ସକାରାତ୍ମକ ଲିଙ୍ଗ ମନୋଭାବ ଏବଂ ଆଚରଣକୁ ପ୍ରୋତ୍ସାହିତ କରାଯାଇପାରିବ । ଏହା ବ୍ୟତୀତ ମହିଳା ହେଲ୍ପଲାଇନ ନମ୍ବର-୧୮୧, ଶିଶୁ ହେଲ୍ପଲାଇନ-୧୦୯୮, ପୋଲିସ ହେଲ୍ପଲାଇନ-୧୧୨ ଓ ସ୍କୁଲ ଛାତ୍ରଛାତ୍ରୀ ହେଲ୍ପଲାଇନ ନମ୍ବର- ୧୮୦୦୩୪୫୬୭୨୨କୁ ସବୁଠି ପ୍ରଦର୍ଶିତ ହେବା ଦରକାର ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏଥିରେ ଖିଲାପ କଲେ ଏହାକୁ ଗମ୍ବୀରତାର ସହ ଗ୍ରହଣ କରାଯିବ ।