ଗର୍ଭବତୀଙ୍କୁ କୋଭିଡ୍ ଟିକା ନେଇ ଆଜି ଆସିବ ଗାଇଡଲାଇନ୍

Health Department To Issue Guidelines For Pregnant Vaccination

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେବଳ ସେତିକି ନୁହେଁ ବିଭିନ୍ନ ବସ୍ତି ଅଞ୍ଚଳ, ଯେଉଁଠି ସଂକ୍ରମଣ ବଢୁଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି । ଧିରେ ଧିରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ । ଆଜି ପଜିଟିଭ୍ ହାର ୩ ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ୍ ହାର ୧୭ ପ୍ରତିଶତ ରହିଛି ।

ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।

ଅନ୍ୟପଟେ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Leave a Reply