ଦ୍ୱିତୀୟ ଏମ୍‌ସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

Naba Das

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ । ଚିଠିରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ସୁନ୍ଦରଗଡ଼ରେ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଏନେଇ ରାଜ୍ୟ ସରକାର ଓ ଜାତୀୟ ତାପଜ ଶକ୍ତି କର୍ପୋରେସନ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ, ବିଭିନ୍ନ ଯନ୍ତ୍ରାଂଶ କ୍ରୟ ଚାଲିଛି ।

ହସ୍ପିଟାଲରେ ୫ଶହ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଥିବା ବେଳେ ପ୍ରତିବର୍ଷ ଶହେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ପଢିବା ସୁବିଧା ରହିଛି । ରାଜ୍ୟରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ଏହି ଭିତ୍ତିଭୂମି ବ୍ୟବହାର ହୋଇପାରିବ । ଫଳରେ ଜନବହୁଳ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳରେ ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ । ଏଥିସହ ଏଠାକୁ ସଡ଼କ ପଥ, ରେଳ ଯୋଗାଯୋଗ ସୁବିଧା ଥିବା ବେଳେ ନିକଟବର୍ତ୍ତୀ ଝାରସୁଗୁଡ଼ାକୁ ବିମାନ ଚଳାଚଳ ସୁବିଧା ରହିଛି । ତେଣୁ ସୁନ୍ଦରଗଡ଼ରେ ଏମ୍‌ସର ଦ୍ୱିତୀୟ ଶାଖା ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Leave a Reply