ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଭୁବନେଶ୍ବର : ଅବହେଳା, ଅଣଦେଖା, ସରକାରଙ୍କ ସ୍ଥାଣୁତା । ବିଜେପି ସରକାରର ବର୍ଷକ ଭିତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି । ଯେଉଁ ସରକାରୀ ଡାକ୍ତରଖାନା ଜୀବନ ବଞ୍ଚାଉଥିଲା ଆଜି କାହିଁକି ସେଠାକୁ ଯିବାକୁ ରୋଗୀ ଡରିଲେଣି? ବର୍ଷିଲା ବିଜେଡି । ତଦନ୍ତ ଆଳ ଦେଖାଇଲା ବିଜେପି ।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ନେଇଛି ୬ଜଣଙ୍କ ଜୀବନ।  ଚିକିତ୍ସା ଅବହେଳାରୁ ନୟାଗଡ଼ ଓ କନ୍ଧମାଳରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଡାକ୍ତରଖାନାରେ ରୋଗୀ ସୁସ୍ଥ ହେବା ବଦଳରେ ଜୀବନ ପାଉନାହାନ୍ତି । ବିଜେପି କ୍ଷମତାକୁ ଆସିବା ପରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଆୟୁଷ୍ମାନ କାର୍ଡ଼ରେ ନାନା ଅସୁବିଧା ଥିବାରୁ ଲୋକମାନେ ହସ୍ପିଟାଲରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଗରିବଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ  ନବୀନ ପଟ୍ଟନାୟକ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ବ୍ୟବସ୍ଥା ଦେଇଥିଲେ । ବିଏସ୍‌କେଓ୍ବାଇ କାର୍ଡ଼ ସହାୟତାରେ ବଡ ବଡ ଘରୋଇ ହସ୍ପିଟାଲରେ ଚିକିତ୍ସା ମିଳୁଥିଲା।  ବିଜେପି ଏ ବ୍ୟବସ୍ଥା ବଦଳାଇଦେଲା । ଏବେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି ରୋଗୀ ମୃତ୍ୟୁର ତଦନ୍ତ ଚାଲିଛି ।

ସେପଟେ କୋରାପୁଟରେ ୬ଜଣଙ୍କ ଜୀବନ ଯିବାନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଦଳୀୟ ବିଧାୟକ । ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ।