ଗଭୀର ଅବପାତର ରୂପ ନେଲା ଲଘୁଚାପ, ୬ ଘଣ୍ଟା ପାଇଁ ଟ୍ୱିନ୍ ସିଟିକୁ ଆଲର୍ଟ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଉତ୍ତର ଭାଗରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିକୁ ସତର୍କତା ଜାରି ହୋଇଛି । ଘଣ୍ଟାପ୍ରତି ୨୦ ରୁ ୩୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା । ପ୍ରବଳ ବର୍ଷା ଫଳରେ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ । ବଜ୍ରପାତ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ଆଲର୍ଟ ହୋଇଛି । ବାଲେଶ୍ବର, ମୟୁରଭଞ୍ଜ,କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ,ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୫୫ ରୁ ୫୪ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।