ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ

1 min read

ଭୁବନେଶ୍ୱର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ। ପ୍ରବଳ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି ହୋଇଛି।

କିଛି ସ୍ଥାନରେ କୁଆପଥର ବୃଷ୍ଟି ସମ୍ଭାବନା ରହିଛି । ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଝଡ଼ବର୍ଷା ବେଳେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ହିମାଳୟ ପାଦଦେଶରୁ ପଶ୍ଚିମବଙ୍ଗ ଓ ସିକିମ୍ ଦେଇ ଛତିଶଗଡ଼ ଯାଏଁ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପକୂଳ ନିକଟରେ ମଧ୍ୟ ଏକ ନିମ୍ନ ଚାପରେଖା ଘୂର୍ଣ୍ଣିବଳୟ ଆକାରରେ ପ୍ରଭାବ ପକାଇଛି।

ଏହା ପ୍ରଭାବରେ କାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୨୬ରୁ ୨୮ ମଧ୍ୟରେ କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ପ୍ରବଳ ବର୍ଷା ନେଇ ସତର୍କତା ଜାରି ସହ ଜିଲ୍ଲାପାଳମାନଙ୍କୁ ଏସ୍ଆରସି ଚିଠି ଲେଖିଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୯ ତାରିଖ ବେଳକୁ ପାଗ ବଦଳିବା ସହ ତାତି ଫେରିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ ବଢ଼ିବା ଆକଳନ କରାଯାଇଛି ।