ଗୋଟିଏ ପରେ ଗୋଟିଏ ଦୁର୍ଘଟଣା, ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ନିଷେଧ

1 min read

ନନ୍ଦିଘୋଷ ବ୍ୟୁରୋ ; ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହେଲିକପ୍ଟରରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି।

ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ଉତ୍ତରାଖଣ୍ଡ ସରକାର ଦୁଃଖ ପ୍ରକାଶ କରିଛନ୍ତି। ହେଲିକପ୍ଟର ସେବା ପରିଚାଳନା ପାଇଁ ଏକ ଏସଓପି ପ୍ରସ୍ତୁତ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହେଲିକପ୍ଟର ପରିଚାଳନା ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ରାଜ୍ୟରେ ହେଲିକପ୍ଟର ସେବା ପରିଚାଳନା ପାଇଁ ଏକ କଡ଼ା ଏସଓପି ପ୍ରସ୍ତୁତ କରାଯିବା ଉଚିତ, ଯେଉଁଥିରେ ଉଡ଼ାଣ ପୂର୍ବରୁ ହେଲିକପ୍ଟରର ଯାନ୍ତ୍ରିକ ସ୍ଥିତିର ସମ୍ପୂର୍ଣ୍ଣ ଯାଞ୍ଚ ଓ ପାଣିପାଗ ବିଷୟରେ ସଠିକ୍ ସୂଚନା ନେବା ବାଧ୍ୟତାମୂଳକ କରାଯିବା ଉଚିତ।

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ପରେ UCADA ଏବଂ DGCA ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି।