ଭଡ଼ାଟିଆ ବେଶରେ ମାତିଛନ୍ତି ଲୁଟେରା, ମାଲିକାଣୀ ଅନୁପସ୍ଥିତିରେ ବୁଲାଇଲେ କଳାକନା

ଭୁବନେଶ୍ୱର : ଘରଭଡା ଦେଉଥିଲେ ସାବଧାନ । ଦଗାଦିଆ ସାଜିପାରେ ଭଡାଟିଆ । ଲୁଟିପାରେ ଧନ, ନେଇପାରେ ଜୀବନ । ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ଶିବ ନଗର । ପ୍ଲଟ ନମ୍ବର ୨୧ ରେ ଥିବା ଏହି ଦୁଇ ମହଲା ଘରେ ରୁହନ୍ତି ୯୦ ବର୍ଷୀୟା ବିଧବା ମହିଳା । ଉପର ମହଲାରେ ନିଜେ ରହୁଥିବା ବେଳେ ତଳ ଘରକୁ ଜଗତସିଂହପୁରର ଏହି କରିତକର୍ମା ସ୍ମୃତିକାନ୍ତ ନାୟକକୁ ଭଡାରେ ଦେଇଥିଲେ । କିନ୍ତୁ ଘର ମାଳିକାଣୀ ଏକାକୀ ଅସୁସ୍ଥ ରହୁଥିବା ଦେଖି ବିଶ୍ୱାସରେ ବିଷ ଦେଇଥିଲା ଭଡାଟିଆ । ଘରେ ପଶି ମାଳିକାଣୀ ନଥିବା ବେଳେ ଲୁଟିନେଇଥିଲା ସୁନା ଚେନ, ମୁଦି ଓ ନଗଦ ଟଙ୍କା । ଏନେଇ ବଡଗଡ଼ ଥାନାରେ ଏତଲା ହେବା ପରେ ଅଭିଯୁକ୍ତ ଭଡାଟିଆ ସହ ଚୋରି ସୁନା କିଣିଥିବା ବଣିଆକୁ ମଧ୍ୟ ବାନ୍ଧିଛି ପୋଲିସ । ଚୋରି ହୋଇଥିବା ସୁନା ଟଙ୍କାକୁ ମଧ୍ୟ ଜବତ କରାଯାଇଛି ।
ଏଭଳି ଗୋଟିଏ ଘଟଣା ନୁହେଁ , ୬ ନଭେମ୍ବର ୨୦୨୩ ରେ ଖଣ୍ଡଗିରି ଥାନା କୃଷ୍ଣା ଗାର୍ଡେନରେ ରହୁଥିବା ଶତାୟୁ ମହିଳାଙ୍କ ଘରୁ କଳାକନା ବୁଲାଇଥିଲା ଭଡାଟିଆ । ପରେ ପରେ ସେହି ବର୍ଷ ୧୯ ଡିସେମ୍ବରରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଠାରେ ମଧ୍ୟ ମାଲିକ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଭଡାଟିଆ ବୁଲାଇଥିଲେ କଳାକନା । କେବଳ ଚୋରି ନୁହେଁ, ବରଂ ଚୋରି ପାଇଁ ଭଡାଟିଆ ମାଲିକଙ୍କୁ ହତ୍ୟା କରିବା ଘଟଣା ମଧ୍ୟ ପୂର୍ବଦିନ ମାନଙ୍କରେ ସାମ୍ନାକୁ ଆସିଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏତେ ସବୁ ପରେ ମଧ୍ୟ ଭଡାଟିଆ ଚିହ୍ନଟ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଯାହା ଫଳରେ ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି ଭଡାଟିଆ । ରାଜଧାନୀ ବଢିବା ସାଙ୍ଗକୁ ଭୁବନେଶ୍ୱରରେ ଘର ପାଇଁ ଡିମାଣ୍ଡ ମଧ୍ୟ ବଢୁଛି । ଏଭଳି କ୍ଷେତ୍ରରେ ପୋଲିସ ନିକଟରେ ଭଡ଼ାଟିଆଙ୍କ ପୁରା ଡାଟା ବେସ୍ ନରହିବା ଏବେ ଚିନ୍ତାର ବିଷୟ ପାଲଟିଛି ।