ସୋନାଗାଛି : କୋଲକାତାର ଏହି ବଦନାମ ଗଳିର ନାଁ ପଛର କ’ଣ ରହିଛି କାହାଣୀ?

ନୂଆଦିଲ୍ଲୀ:  ସୋନାଗାଛି ଶବ୍ଦ ଆପଣଙ୍କ କାନରେ ଅନେକ ଥର ବାଜିଥିବ । କେବେ ଗପରେ ତ କେବେ ବହିରେ । ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ । ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ । ଆଉ ପ୍ରତ୍ୟେକଟି ଶବ୍ଦ କହେ ଅଲଗା କାହାଣୀ । କାହା ପାଇଁ ଏହା ଏକ ମନୋରଞ୍ଜନ । ଯେଉଁଠାରେ ଟଙ୍କା ବଦଳରେ ସୌଦା ହୁଏ । ଆଉ କିଛି କ୍ଷଣ ମଧ୍ୟରେ ଏହା ଏକ କାହାଣୀ ହୋଇଯାଏ, ଯାହା ନା ଇତିହାସରେ ଲେଖାହୁଏ ନା କିମ୍ବଦନ୍ତୀ ସାଜେ । ନା ସେଠାରେ ତାରକାକୁ ଦେଖିବାକୁ ମିଳେ । ଘନ ଅନ୍ଧକାର ବ୍ୟତୀତ ଏଠାରେ କିଛି ନଥାଏ ।

 

ନଗମା ନିଗାର ସାହିର ଲୁଧିୟାନବୀ ସୋନାଗାଛିର ଏହି ବିରୋଧାଭାସକୁ ଫିଲ୍ମ ‘ଚାନ୍ଦି କି ଦିଓ୍ୱାର’ର ଏକ ଗୀତରେ ଖୁବ୍‌କଷ୍ଟର ସହିତ ଉପସ୍ଥାପନା କରିଛନ୍ତି । ଏଥିରେ ତାଙ୍କର ଦୁନିଆକୁ ନେଇ ରହିଥିବା ଅଭିଯୋଗ ନଜର ଆସିଛି । ମୋହମ୍ମଦ ରଫିଙ୍କ କଣ୍ଠରେ ସୋନାଗାଛି ଆପେ ଆପେ ତା ପରିଚୟ ସହ ସାମ୍ନାକୁ ଚାଲିଆସେ ।

 

ସୋନାଗାଛି କୋଲକାତାର ଏକ ଅଞ୍ଚଳ । ୩୦୦ ବର୍ଷରୁ ବି ପୁରୁଣା ହୁଗୁଳି ନଦୀ କୂଳରେ ଅବସ୍ଥିତ କୋଲକାତା ସହର ଅନେକ ଜିନିଷକୁ ନେଇ ଖୁବ୍‌ଚର୍ଚ୍ଚିତ । ସେ ହିଲ୍ସା ମଛଲୀ ହେଉ ବା ଗୀତ ସଙ୍ଗୀତ । କିନ୍ତୁ କୋଲକାତା ଆଉ ଏକ ଜିନିଷ ପାଇଁ ମଧ୍ୟ ପ୍ରସିଦ୍ଧତା ହାସଲ କରିଛି । ତାହା ହେଉଛି ସୋନାଗାଛି । କୁହାଯାଏ ଏହା ଏକ ରେଡ୍‌ଲାଇଟ୍‌ଅଞ୍ଚଳ । ଆମ ଜୀବନରେ ଏହି ରଙ୍ଗ ବିପଦର ସଙ୍କେତ ଦେଇଥାଏ । ଆମକୁ ହଠାତ୍‌ଅଟକି ଯିବାକୁ ଇସାରା କରିଥାଏ । ସୋନାଗାଛି ଦୁନିଆର ସବୁଠାରୁ ବଡ଼ ଦେହ ବ୍ୟାପାର କେନ୍ଦ୍ର । ଆକଳନ ଅନୁସାରେ ୧୦ ହଜାରରୁ ଅଧିକ ସେକ୍ସ ଓ୍ୱର୍କର ଏଠାରେ କାମ କରନ୍ତି । ନା ବୟସର ସୀମା ଅଛି ନା ଧର୍ମରେ ପ୍ରତିବନ୍ଧକ । କିନ୍ତୁ ଏହାକୁ ନେଇ ଚର୍ଚ୍ଚା କରିବା ପୂର୍ବରୁ ଲୋକ ଅଟକିଯାନ୍ତି । ତଥାପି ମଧ୍ୟ ଏହି ଅଞ୍ଚଳକୁ ନେଇ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦେଦିଆଯାଇଛି । ଏମାନଙ୍କୁ କେହି ମଧ୍ୟ ଏଠାରୁ ହଟାଇ ପାରିବେ ନାହିଁ । ତେଣୁ ବର୍ଷ ବର୍ଷ ଧରି ଏଠାରେ ଏହି ବସ୍ତି ରହି ଆସିଛି । ଉତ୍ତର କୋଲକାତାର ଶୋଭାବଜାର ସ୍ଥିତ ଚିତ୍ତରଞ୍ଜନ ଏବେନ୍ୟୁ ସ୍ଥିତ ଅଞ୍ଚଳ ପ୍ରାୟ ଶହେ ବର୍ଷ ଧରି ସୋନାଗାଛି ନାମରେ ଜଣାଶୁଣା ।

 

ସୋନାଗାଛି ନାମକରଣ ପଛର ରହସ୍ୟ କ’ଣ?

ସୋନାଗାଛିର ଅର୍ଥ ସୁନାର ଗଛ । କିନ୍ତୁ ଏହି ସ୍ଥାନର ଏଭଳି ନାମକରଣ କାହିଁକି ହୋଇଛି?
୩୦୦ ବର୍ଷ ତଳର ଘଟଣା । ସେତେବେଳେ ନୂଆ ନୂଆ କୋଲକାତା ସହର ବସିଥାଏ । ଯାହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । କୁହାଯାଏ, ଏହି ଅଞ୍ଚଳରେ ସନାଉଲ୍ଲାହ ନାମକ ଜଣେ କୁଖ୍ୟାତ ଡକାୟତ ତା ମା ସହିତ ରହୁଥିଲା । କିଛିଦିନ ପରେ ତା’ର ମୃତ୍ୟୁ ହୋଇଗଲା । ଆଉ ମୃତ୍ୟୁର କିଛିଦିନ ପରେ ତା ମା’କୁ ରାତିରେ ହଠାତ୍‌ଏକ ଶବ୍ଦ ଶୁଣାଗଲା । ବସ୍ତିରୁ ଶବ୍ଦ ଆସିଲାଯେ, ମା ତୁ କାନ୍ଦନି ମୁଁ ଗାଜି ହୋଇସାରିଛି । ଯାହାପରେ ସନ୍ନାଉଲ୍ଲାହ ହୋଇଗଲା ସୋନାଗାଜି ।

 

କିମ୍ବଦନ୍ତୀ ଅନୁସାରେ, ଏହି କଥା ଧୀରେଧୀରେ ଚାରିଆଡ଼େ ଖେଳିବାକୁ ଲାଗିଲା । ଏଠାରେ ଲୋକଙ୍କର ଭିଡ଼ ଜମିଲା । ଏଠାକୁ ଆସିବା ପରେ ଲୋକ ଆରୋଗ୍ୟ ହେଉଥିବା କୁହାଗଲା । ଇତିହାସ କହେ ପୁଅ ସ୍ମୃତିରେ ସନ୍ନାଙ୍କ ମା ଏକ ମସଜିଦ୍‌ନିର୍ମାଣ କଲେ । ଯାହା ସୋନାଗାଜି ନାମରେ ପରିଚିତ ହେବାକୁ ଲାଗିଲା । କିଛି ଦିନ ପରେ ସନ୍ନାଉଲ୍ଲାହଙ୍କ ମା’ଙ୍କର ପରଲୋକ ହେଲା । କେହି ମଧ୍ୟ ଏହି ମସଜିଦର ଦେଖାଶୁଣା ନକରିବାରୁ ଧୀରେଧୀରେ ତାହା ବିଲୀନ ହୋଇଗଲା । ପରେ ଧୀରେଧୀରେ ଏହି ସ୍ଥାନର ନାମ ସୋନା ଗାଜିରୁ ଅପଭ୍ରଂଶ ହୋଇ ସୋନାଗାଛି ହୋଇଗଲା । କିନ୍ତୁ ଏହାର ପ୍ରାରମ୍ଭିକ ଇତିହାସ ବିଷୟରେ ବିଶେଷ କିଛି ସୂଚନା ନାହିଁ । କିନ୍ତୁ କୁହାଯାଏ ଦିନେ ଏହା ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା । ବଡ଼ବଡ଼ ବ୍ୟବସାୟୀ ଏଠାକୁ ଆସିଥିଲେ । ତେଣୁ ଏଠାରେ ଦେହ ବ୍ୟବସାୟ ଖୁବ୍‌ସହଜ ହୋଇଗଲା ।

Leave a Reply