ଡ୍ରୋନ ବ୍ୟବହାର ନେଇ ଆସିବ ନୂଆ ନୀତି, ରଦ୍ଦ ହେବ ୟୁଏଏସ ନିୟମାବଳୀ 2021

ନୂଆଦିଲ୍ଲୀ: ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ଚିଠା ନୀତି ପ୍ରସ୍ତୁତ । ବିଶ୍ୱସନୀୟତା, ସ୍ୱୟଂ ପ୍ରମାଣସିଦ୍ଧ ଆଧାରରେ ଡ୍ରୋନ ବ୍ୟବହାର ନେଇ ଏହି ନୀତି ଆସିବ । ଡ୍ରୋନ ନିୟମାବଳୀ 2021 ବିଜ୍ଞପ୍ତି ପ୍ରକାଶ ପାଇଲେ ପୂର୍ବରୁ ରହିଥିବା ମାନବବିହୀନ ବିମାନ ବ୍ୟବସ୍ଥା ବା ୟୁଏଏସ ନିୟମାବଳୀ 2021 ରଦ୍ଦ ହେବ । ଡ୍ରୋନ ନିୟମାବଳୀ  ୨୦୨୧ ଅନୁସାରେ ଏଣିକି ୬ଟି କ୍ଷେତ୍ରରେ ଡ୍ରୋନ ଅପରେଟ କରିବା ଲାଗି ଅନୁମତି ମିଳିବ । ପୂ୍ର୍ବରୁ ୨୫ଟି କ୍ଷେତ୍ର ଲାଗି ଡ୍ରୋନ ଅନୁମତି ମିଳୁଥିଲା ।

ବିଶ୍ୱସନୀୟତା, ସ୍ବୟଂ ପ୍ରମାଣସିଦ୍ଧ ଓ ଅଣବ୍ୟାଘାତସୃଷ୍ଟି ଭିତ୍ତିରେ ଡ୍ରୋନ ବ୍ୟବହାର ନେଇ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଚିଠା ନୀତି ଜାରି କରିଛି । ନୂଆ ନୀତି ଯୋଗୁ ଏଣିକି ଗ୍ରୀନ ଜୋନରେ 400 ଫୁଟ ଉଚ୍ଚରେ ଏବଂ ବିମାନବନ୍ଦରର 8ରୁ 12 କିଲୋମିଟର ମଧ୍ୟରେ 200 ମିଟର ଉଚ୍ଚରେ ଡ୍ରୋନ ଉଡାଇବା ଲାଗି କୌଣିସ ଉଡାଣ ଅନୁମିତ ଆବଶ୍ୟକ ପଡିବ ନାହିଁ । ୟୁଏଏସ ନିୟମାବଳୀ 2021 ଗତ ମାର୍ଚ୍ଚ 12 ତାରିଖରେ ଆସିଥିଲା । ମାତ୍ର ଡ୍ରୋନ ନିୟମାବଳୀ 2021 ଲାଗୁ ହେବା ପରେ ତାହା ଆଉ ବଳବତ୍ତର ହେବ ନାହିଁ ।

ଏହି ନୂଆ ନିୟମ ଅନୁସାରେ ଏଣିକି ଉତ୍ପାଦ, ସେବା ସଂକ୍ରାନ୍ତ ପ୍ରମାଣପତ୍ର, ରକ୍ଷଣାବେକ୍ଷଣ ପ୍ରମାଣପତ୍ର, ଆମଦାନୀ ସଂକ୍ରାନ୍ତ କ୍ଲିଅରାନ୍ସ, ଅପରେଟର ପରମିଟ, ଗବେଷଣା ଓ ବିକାଶ ସଂଗଠନର ସ୍ବୀକୃତି, ଷ୍ଟୁଡେଣ୍ଟ ରିମୋଟ ପାଇଲଟ ଲାଇସେନ୍ସ ଆଦି ଆବଶ୍ୟକ ପଡିବ ନାହିଁ । ପୂର୍ବର ୟୁଏଏସ ନିୟମାବଳୀ 2021 ଅନୁସାରେ ଏହି ନୂଆ ନୀତି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ବର୍ତ୍ତମାନ ସାରା ବିଶ୍ୱରେ ପ୍ରଯୁକ୍ତି କ୍ଷେତ୍ରରେ ଡ୍ରୋନ ବିପ୍ଲବ ସୃଷ୍ଟି ହେବାକୁ ଯ଼ାଉଛି । କମ ମୂଲ୍ୟ ଦୃଷ୍ଟିରୁ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଛି । ନୂଆ ଚିଠା ନୀତିରେ ଡ୍ରୋନର ହସ୍ତାନ୍ତର ଓ ପଞ୍ଜିକରଣ ପ୍ରତ୍ୟାହାର କରିବା ନୀତି ମଧ୍ୟ ସହଜ କରାଯାଇଛି । ଏଣିକି ମାଇକ୍ରୋ଼ ଡ୍ରୋନ ଅର୍ଥାତ ଅଣବ୍ୟାବସାୟିକ ଡ୍ରୋନ, ନାନୋ ଡ୍ରୋନ, ଓ ଗବେଷଣା ଓ ବିକାଶ ସକାଶେ ବ୍ୟବହୃତ ଡ୍ରୋନ ସକାଶେ କୌଣସି ପାଇଲଟ ଲାଇସେନ୍ସ ଦରକାର ନାହିଁ ।

Leave a Reply