ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ ଉପରେ ନଜର ରଖିଥିବା ଉପଗ୍ରହର ଲାଟେଷ୍ଟ ଭର୍ସନ ଉତକ୍ଷେପଣ କରିବ ଇସ୍ରୋ

1 min read

ନନ୍ଦିଘୋଷ ବ୍ୟୁରୋ: ସର୍ଜିକାଲ ଷ୍ଟ୍ରାଇକ ହେଉ କି ମେ’ ୭ର ଏୟାର ଷ୍ଟ୍ରାଇକ । ମହାକାଶରେ ଥାଇ ସବୁ କିଛି ଉପରେ ନଜର ରଖିଥିଲା ଇସ୍ରୋର ଏକ ଉପଗ୍ରହ । ଯାହାର ଲାଟେଷ୍ଟ ଭର୍ସନ ଜୁନ ୧୮ ତାରିଖ ସକାଳ ୬ଟା ୫୯ ମିନିଟରେ ଉଦକ୍ଷେପଣ ହେବାକୁ ଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି EOS-09 ଉପଗ୍ରହ ଉତକ୍ଷେପଣ ହେବ । ଯାହା RISAT-1B ନାମରେ ବି ପରିଚିତ । ଏବେ ଇସ୍ରୋ ଏହାକୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତି ଶେଷ କରି ସାରିଛି । ଏହା ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।

EOS-09 ଉପଗ୍ରହକୁ ପିଏସଏଲଭି-ସି୬୧ ଏକ୍ସଏଲ (PSLV-C61 XL) ରକେଟରେ ଉତକ୍ଷେପଣ କରାଯିବ । ଯାହା ପୃଥିବୀର କକ୍ଷରୁ ୫୨୯ କିମି ଉଚ୍ଚାରେ ସ୍ଥାପିତ ହେବ । ଏହାର ଓଜନ ୧୭୧୦ କେଜି ରହିଛି । ଏଥିରେ ସି-ବ୍ୟାଣ୍ଡ ସିନ୍ଥେଟିକ ଆପର୍ଚର ରାଡର (SAR) ରହିଛି । ଦିନ ହେଉ କି ରାତି, ପାଗ ଯେମିତି ବି ହୋଇଥାଉ ଏହା ହାଇ ରିଜୋଲ୍ୟୁସନ ଫଟୋ ପଠାଇବାକୁ ସକ୍ଷମ ।

EOS-09 ରିସେଟ ଶୃଙ୍ଖଳାର ଏକ ଉପଗ୍ରହ । ଉନ୍ନତ ରାଡାର ଇମେଜିଂ ଟେକନିକ ଯୋଗୁଁ ଏହା ବାଦଲ, କୁହୁଡ଼ି ଓ ଅନ୍ଧାର ପରି ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଉଚ୍ଚ ଗୁଣବତ୍ତାର ଫଟୋ  ନେବାକୁ ସକ୍ଷମ ।

ରକ୍ଷା ଓ ସୁରକ୍ଷା

EOS-09 ଦେଶର ସୁରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ । କେଉଁଠି ସେନା ମୁତୟନ ହେବେ ଓ କେମିତି ପରିଚାଳିତ ହେବେ ସେ ନେଇ ତଥ୍ୟ ଦେଇଥାଏ । ଯାହା ଦ୍ବାରା ସୀମା ଉପରେ ନଜର ରଖିବା, ସନ୍ଦିଗ୍ଧ ଗତିବିଧି ଉପରେ ନଜର ସହଜ ହୋଇଥାଏ । ଏହାସହ ଏହା ଗୁରୁତ୍ବପୂର୍ଣ୍ଣ ସ୍ଥାନର ମ୍ୟାପିଂ କରିଥାଏ । ଏହାର ହାଇ ରିଜୋଲ୍ୟୁସନ ଫଟୋ ସେନାକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇଥାଏ ।

ବିପର୍ଯ୍ୟୟ ପରିଚାଳନା

ପ୍ରାକୃତିକ ବିପର୍ଯ୍ୟୟ ଯେଭଳି, ବନ୍ୟା, ବାତ୍ୟା, ଭୂକମ୍ପ ଓ ଭୂସ୍ଖଳନ ଉପରେ ନଜର ରଖିବା ସହ ସ୍ଥିତି ଆକଳନ କରିବାରେ ସାହାଯ୍ୟ କରିଥାଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ପହଞ୍ଚାଇବା ଓ ଲୋକଙ୍କୁ ଉଦ୍ଧାର କରିବା ପରି ତଥ୍ୟ ପ୍ରଦାନ ଏହାର ପ୍ରାଥମିକତା ହୋଇଥାଏ ।

ପ୍ରାକୃତିକ ସମ୍ପଦର ତଦାରଖ

EOS-09ର ଉପଯୋଗ କୃଷି, ବନ୍ୟା, ଜଳ ସମ୍ପଦ ଓ ଖଣିଜ ସମ୍ପଦର ତଦାରଖରେ ମଧ୍ୟ ସହଯୋଗ କରିଥାଏ । ଏହାସହ ଜଳବାୟୁ ପରିବର୍ତ୍ତନର ବିଶ୍ଲେଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ସୂଚନାଯୋଗ୍ୟ, ରିସେଟ ଶୃଙ୍ଖଳାର ଉପଗ୍ରହ ଭାରତର ରାଡାର ଇମେଜିଂ କ୍ଷମତାକୁ ମଜଭୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ । ଏହା ଉପଗ୍ରହ ଅପ୍ଟିକାଲ ସେଣ୍ଟର ଉପରେ ନିର୍ଭର କରୁଥିବା ପାରମ୍ପରିକ ଉପଗ୍ରହଠାରୁ ବହୁତ ଅଲଗା । କାରଣ ଏହାର ରାଡାର ସିଷ୍ଟମ ପ୍ରତିକୂଳ ପରିସ୍ଥିତିରେ ବି ନିରନ୍ତର ତଥ୍ୟ ପ୍ରଦାନ କରିଥାଏ । ରିସେଟ-୧କୁ ଭାରତ ୨୦୧୨ରେ ଲଞ୍ଚ କରିଥିଲା । ଏହା ଏହି ଶୃଙ୍ଖଳାର ପ୍ରଥମ ଉପଗ୍ରହ ଥିଲା । ସେବେଠାରୁ ଇସ୍ରୋ ଏହାର ଟେକ୍ନୋଲଜିକୁ ଅଧିକରୁ ଅଧିକ ଉନ୍ନତ କରୁଛି ।