ଟ୍ୱିଟରର ପୂର୍ବତନ ସିଇଓଙ୍କ ବଡ଼ ବୟାନ, ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର

ନୂଆଦିଲ୍ଲୀ: ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର । ଟ୍ୱିଟର ବ୍ୟାନ କରିବାକୁ ଧମକ ଦିଆଯାଇଥିଲା । କମ୍ପାନୀ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଭାରତ ସରକାର ଧମକାଇଥିଲେ । କେନ୍ଦ୍ର ବିରୋଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି ସ୍ମଲ ବ୍ଲଗିଂ ସାଇଟ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡର୍ସି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ କେତେକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଚାପ ପକାଇଥିଲେ। କିଷାନ ଆନ୍ଦୋଳନ କଭର କରୁଥିବା ସାଇଟଗୁଡ଼ିକୁ ବ୍ଲକ କରିବାକୁ ଭାରତ ସରକାର ଚାପ ପକାଇଥିଲେ । ନଚେତ କମ୍ପାନୀ କର୍ମଚାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ୟୁଟ୍ୟୁବ ଚ୍ୟାନେଲ ବ୍ରେକିଂ ପଏଣ୍ଟସକୁ ଏକ ଇଣ୍ଟରଭ୍ୟୁ ଦେଇ ଏହି ଖୁଲାସା କରିଛନ୍ତି ଜ୍ୟାକ୍ ।

ଚାଷୀ ଆନ୍ଦୋଳନ ବେଳେ ଅନେକ ଆକାଉଣ୍ଟ ବ୍ଲକ୍ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ବିଶେଷକରି ସରକାରଙ୍କ ଆଲୋଚନା କରୁଥିବା ସାମ୍ବାଦିକଙ୍କ ଆକାଉଣ୍ଟ ବନ୍ଦ କରିବାକୁ କୁହାଯାଇଥିଲା । ନଚେତ ଦେଶରେ ଟ୍ବିଟର ବନ୍ଦ କରିବା ସହ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ଭାରତକୁ ତୁର୍କୀ ସହ ତୁଳନା କରିବା ସହ ତୁର୍କୀରେ ବି ସମାନ ଧରଣର ଧମକ ମିଳିଥିଲା ବୋଲି ଜ୍ୟାକ କହିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହେଉଛି ଗଣମାଧ୍ୟମ । ମାତ୍ର କେନ୍ଦ୍ର ସରକାର ଗଣମାଧ୍ୟମର ଗଳା ରୁଦ୍ଧ କରିବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ।