ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତ; ବିଜୟ ଲକ୍ଷ୍ୟ ହାସଲ କଲେ ୨ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ

1 min read

ଇଂଲଣ୍ଡ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଲଣ୍ଡନର ଓଭାଲ ଷ୍ଟାଡିୟମରେ ପ୍ରଥମ ଦିନିକିୟା ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତକୁ ଏକତରଫା ବିଜୟ ମିଳିଛି । ଅଧିନାୟକ ରୋହିତ ଶର୍ମା ବିଜୟୀ ପାରି ଖେଳିଛନ୍ତି  । ୧୧୧ରନର ବିଜୟ ଲକ୍ଷ୍ୟକୁ ଭାରତ ହାସଲ କରି ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା (୫୮ ବଲ୍, ୭୬ରନ୍) ଓ ଶିଖର ଧୱନ (୫୪ବଲ୍, ୩୧ରନ୍) ୧୮ ଓଭର ୪ଟା ବଲରେ ୧୧୪ ରନ୍ କରି ଭାରତକୁ ବିଜୟ ଦେଇଛନ୍ତି । ଆଜିର ମ୍ୟାଚରେ ଶ୍ରେଷ୍ଠ ବୋଲିଂ ପାଇଁ ଜଶପ୍ରୀତ ବୁମରାହଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଛି  । ବୋଲିଂରେ ଭାରତ ପକ୍ଷରୁ ଜଶପ୍ରୀତ ଓ ମହମ୍ମଦ ଶାମି ଚମତ୍କାର ପ୍ରଦର୍ଶନ କରିଥିଲେ । ୧୧୦ ରନ୍ ଭିତରେ ସବୁ ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫.୨ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ଘାତକ ବୋଲର ଜଶପ୍ରୀତ ବୁମରାହଙ୍କ ବୋଲିଂ ଆଗରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ତିଷ୍ଟି ପାରିନଥିଲେ  । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ କେବଳ ଅଧା ଓଭର ଖେଳ ଚାଲିଥିଲା  । ଭାରତୀୟ ଦଳ ପକ୍ଷରୁ ଜଶପ୍ରୀତ ବୁମରାହ ୭ ଓଭର ବୋଲିଂ କରି ୧୯ ରନ ବିନିମୟରେ ସର୍ବାଧିକ ୬ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମହମ୍ମଦ ଶାମି ୭ ଓଭର ବୋଲି କରି ୩୧ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ  ।