ଭାରତୀୟ ସେନାରେ ଝଟକିଲେ ମହିଳା, ପ୍ରଥମ ଥର ଲାଗି ରେଜିମେଣ୍ଟସ ଅଫ ଆର୍ଟିଲେରୀରେ ୫ ଅଫିସର ସ୍ଥାନୀତ

1 min read

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମ ଥର ଲାଗି ରେଜିମେଣ୍ଟସ ଅଫ ଆର୍ଟିଲେରୀରେ ୫ ମହିଳା ଅଫିସରଙ୍କୁ ସ୍ଥାନିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚୀନ ସୀମା ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିଯୁକ୍ତି ଦିଆଯାଇଛି । ଏହି ୫ ଜଣ ମହିଳା ହେଲେ ଲେଫ୍ଟନାଣ୍ଟ ମେହାକ ସାଇନି, ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ, ଲେଫ୍ଟନାଣ୍ଟ ଆଦିତି ଯାଦବ, ଲେଫ୍ଟନାଣ୍ଟ ପିୟସ ମୁଦଗିଲ ଓ ଲେଫ୍ଟନାଣ୍ଟ ଆକାଂକ୍ଷା । ଚେନ୍ନାଇରେ ସେମାନେ ଅଫିସର୍ସ ଟ୍ରେନିଂ ଆକାଡେମିରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।

ଭାରତୀୟ ସେନାବାହିନୀର ଏକ ଲଢୁଆ ବାହିନୀ ହେଉଛି ରେଜିମେଣ୍ଟ ଅଫ ଆର୍ଟିଲେରୀ । ଏହାର ମୋଟ ୨୮୦ଟି ୟୁନିଟ ଥିବାବେଳେ ସେମାନେ ବୋଫର୍ସ ହାଓଜିର, ଧନୁଷ, ଏମ-୭୭୭ ହାଓଜିର ଓ କେ-୯ ବଜ୍ର ଆଦି ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥାନ୍ତି । ଏହି ସମସ୍ତ ଅସ୍ତ୍ରଶସ୍ତ୍ରର ସଫଳ ବ୍ୟବହାର କରିବା କ୍ଷେତ୍ରରେ ୫ ଜଣ ମହିଳା ଅଫିସର ସକ୍ଷମ ହୋଇଛନ୍ତି । ସେମାନଙ୍କ ନିଯୁକ୍ତି ଭାରତୀୟ ସେନା ଲାଗି ଉଦାହରଣ ପାଲଟିଛି । ବିଭିନ୍ନ ଆର୍ଟିଲେରି ୟୁନିଟରେ ମହିଳା ଅଫିସରଙ୍କୁ ସାମିଲ କରିବା ଲାଗି ଗତ ଜାନୁଆରୀରେ ଘୋଷଣା କରିଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନାରେ ମହିଳା ଅଫିସରଙ୍କୁ ନିଯୁକ୍ତି ପ୍ରକ୍ରିୟା ବିଗତ ୨୦୧୯ରୁ ଆରମ୍ଭ ହୋଇଛି ।