କୁପଓ୍ବାରାରେ ଦମ୍ ଦେଖାଇଲେ ଯବାନ, ମରଣମୁହଁରୁ ୩ ଜଣଙ୍କୁ କଲେ ଉଦ୍ଧାର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ କୁପଓ୍ବାରାରେ ଦମ୍ ଦେଖାଇଲେ ଯବାନ । ମରଣମୁହଁରୁ ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି । କୁପଓ୍ୱାରର ଚୋନ୍ତିଓ୍ୱାରୀ ଗ୍ରାମରେ ଗତକାଲି ବରଫ ଭୂସ୍ଖଳନ ଘଟିଥିଲା । କିଛି ଲୋକ ସେଥିରେ ପୋତି ହୋଇଯାଇଥିବା ସୂଚନା ମିଳିଥିଲା । ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ତୁରନ୍ତ ସେଠାରେ ପୋଲିସ ଓ ଆର୍ମିବାହିନୀ ପହଞ୍ଚିଥିଲେ । ଘନ ତୁଷାରପାତ ଓ ବରଫ ପାହାଡ଼ରୁ ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିଲା ମେଗା ମିଶନ । ପୋଲିସ ଓ ଯବାନମାନେ ଜୀବନକୁ ବିପନ୍ନ କରି ୩ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ଆଇଜାଜ ଅହମ୍ମଦ ତାନ୍ତ୍ରେ । ସେ ଜଣେ ନବ ବିବାହିତ । ଏହି ଦୁଃଖଦ ଘଟଣାରେ ଆଇଜାଜଙ୍କ ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଜାରିନାଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଫୁଟର ବରଫରେ ଆଇଜାଜ ପୋତି ହୋଇଯାଇଥିଲେ ।