ଓଡ଼ିଶା ଆସୁଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ, ବୁଲି ଦେଖିବେ ଡାକୋଟା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତି। ତାଙ୍କ ସହ ଆସୁଛନ୍ତି କୋଲାକାତାରେ ଅବସ୍ଥାପିତ ଇଣ୍ଡୋନେସିଆ କନସୁଲ୍ ମହେଶ ଶର୍ମା ଓ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଦୁଇଜଣ ଅଧିକାରୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତିଙ୍କ ସମେତ ୪ ଜଣ ଅତିଥି ଆଜି ରାତି ୮ଟାରେ ଭୁବନେଶ୍ବର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ ।

ଅପରାହ୍ନ ୩ଟା ୩୦ରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଓ କନସୁଲ୍ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଲୋକସେବା ଭବନରେ ଭେଟିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗସ୍ତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା ପରିଦର୍ଶନରେ ଯିବେ ।

ପ୍ରବାଦ ପୁରୁଷ ଡଚଙ୍କ ଧମକକୁ ଖାତିର ନ କରି ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାରିୟର୍ଙ୍କୁ ଡାକୋଟା ବିମାନଯୋଗେ ସାହାସର ସହିତ ଦିଲ୍ଲୀ ସମ୍ମିଳନୀରେ ଯୋଗଦେବା ପାଇଁ ନେଇ ଆସିଥିଲେ । ଡାକୋଟାକୁ ବିମାନବନ୍ଦରରେ ଦେଖି ବିଜୁ ବାବୁଙ୍କ ଏହି ଅଦମ୍ୟ ସାହସର ଇତିହାସକୁ ରୋମନ୍ଥନ କରିବେ ରାଷ୍ଟ୍ରଦୂତ ଓ ତାଙ୍କ ଟିମ୍ । ୨୯ ତାରିଖ ଅପରାହ୍ନ ଗୋଟାଏ ୧୫ ମିନିଟ୍ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି ।