ନନ୍ଦିଘୋଷ ବ୍ୟୁରୋ: ଦେଶର ରାଷ୍ଟ୍ରପତି ହେବେ ଆଦିବାସୀ ଅଧୁଷିତ ଅଞ୍ଚଳର ଜଣେ ମହିଳା  । ଓଡ଼ିଶା ମାଟିର ଝିଅ ପ୍ରଥମଥର ପାଇଁ ହେବାକୁ ଯାଉଛନ୍ତି ରାଷ୍ଟ୍ରପତି । ବିଶ୍ୱ ମାନସପଟରେ ଓଡ଼ିଶା ଲେଖୁଛି ଇତିହାସ  । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଢଳୀ ଉପରବେଢା ଗାଁରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ହେବେ, ଏହା ପ୍ରତିଟି ଓଡ଼ିଆ ପାଇଁ ଅକୁହା ଆନନ୍ଦ ଏବଂ ଉତ୍ସବର ଦିବସ  । ଆଉ ସେହି ଖୁସିରେ ଆରମ୍ଭ ହୋଇଗଲାଣି ଉତ୍ସବ ଏବଂ ଉତ୍ସାହ  ।

ରାଇରଙ୍ଗପୁରରୁ ରାଇସିଲା ହିଲ୍ ଯାତ୍ରା  । ପାହାଡ଼ ପର୍ବତ ଘେରା  ଅପହଞ୍ଚ ଅଞ୍ଚଳରୁ ଦିଲ୍ଲୀ ରାଷ୍ଟ୍ରପତି ଭବନ ଯାତ୍ରା  ।  ଏ ଯାତ୍ରା ସହଜ ନଥିଲା  । ଦ୍ରୌପଦୀଙ୍କ ବିଜୟ ପଥର ଏ କଣ୍ଟକିତ ଅତୀତ ମଧ୍ୟ ସେତିକି ଲେଲିହାନ  । ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ   । ଦେଶରେ ଜଣେ ସୁଦକ୍ଷ ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ  । ୨୦ ଜୁନ ୧୯୫୮ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ  ।

୧୯୯୭ରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ  । ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ  । ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ  । ୨୦୦୦ରୁ ୨୦୦୯ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ  । ୨୦୦୬ରୁ ୨୦୦୯ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଓ ୨୦୧୫ରୁ ୨୦୨୧ ଝାଡ଼ଖଣ୍ଡ ରାଜ୍ୟପାଳ ହୋଇଥିଲେ  ।

୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ରାଜ୍ୟ ବାଣିଜ୍ୟ ମନ୍ତ୍ରୀ ଥିଲେ  । ୬ ଅଗଷ୍ଟ ୨୦୦୨ରୁ ୧୬ ମେ ୨୦୦୪ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ଦ୍ରୌପଦୀ  । ଦ୍ରୌପଦୀ ପ୍ରଥମ ଓଡ଼ିଆ ମହିଳା ଯେ କି ଅନ୍ୟ ରାଜ୍ୟରେ ହୋଇଥିଲେ ରାଜ୍ୟପାଳ  । ସମାଜସେବାରେ ନିଜକୁ କରିଆସିଛନ୍ତି ଉତ୍ସର୍ଗ  । ୨୦୦୭ରେ ଲାଭ କରିଥିଲେ ଶ୍ରେଷ୍ଠ ବିଧାୟିକା ପୁରସ୍କାର ପାଇଥିଲେ  । ଶେଷରେ ନିଜର ଇଛାଶକ୍ତି-ସୁଦକ୍ଷ ନେତୃତ୍ୱ- ଲୋକଙ୍କ ହୃଦୟ ଜିଣିବାର ଦକ୍ଷତା ତାଙ୍କୁ ମହାମହିମ ପର୍ଯ୍ୟନ୍ତ ଟାଣି ନେଇଛି  ।