ମଣିପୁରରେ ଥମୁନି ଉତ୍ତେଜନା, ୭ ଜିଲ୍ଲାରେ ବନ୍ଦ ଇଣ୍ଟରନେଟ ସେବା

ଇମ୍ପାଲ: ମଣିପୁରର ବିଭିନ୍ନ ସ୍ଥାନରେ ରହିଛି ଉତ୍ତେଜନା ପରିସ୍ଥିତି । ସେପଟେ ଇମ୍ଫାଲ ଉପତ୍ଯକାରେ ଆଜି ବି ବନ୍ଦ ରହିବ ସ୍କୁଲ ଓ କଲେଜ । ଛାତ୍ରଛାତ୍ରୀଙ୍କ ନିରାପତ୍ତା ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର । ସରକାରୀ ନିଷ୍ପତ୍ତି ଅନୁସାରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣୁପର ଓ କାକଚିଙ୍ଗରେ ସ୍ଥିତି ଉତ୍ତେଜନାପ୍ରବଣ ଥିବାରୁ ଉପତ୍ଯକାରେ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ବି ରାଜ୍ଯର ୭ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା । ସେପଟେ ମଣିପୁର ପୋଲିସ ପକ୍ଷରୁ ପାର୍ବତ୍ଯାଞ୍ଚଳ ଓ ଉପତ୍ଯକାରେ ଚଳାଇଛି ସର୍ଚ୍ଚ ଅପରେସନ । ବିଭିନ୍ନ ସ୍ଥାନରେ କୁକୀଙ୍କ ଉପରେ ଆକ୍ରମଣକୁ ବିରୋଧ କରିଛି କୁକୀ ଅର୍ଗାନାଇଜେସନ ଫର ହ୍ୟୁମାନ ରାଇଟସ୍ ଟ୍ରଷ୍ଟ ।

ତେଣେ ଜିରିବାମରେ ମୈତେଇଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରିଛି ମୈତେଇ ସଂଗଠନ ତାରାଗି ଚେଇସୁ । ମୈତେଇଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ସଂଗଠନ । ଜାକୁରଧୋର ସମେତ ୬ଟି ପୋଲିସ ଥାନା ଅଞ୍ଚଳରେ ଆଫପ୍ସା ଲାଗୁକୁ ସଂଗଠନ ବିରୋଧ କରିଛି । ଶାନ୍ତି ପ୍ରତିଷ୍ଠା କରିବାରେ ଆଫପ୍ସା ବିଫଳ ବୋଲି ସଂଗଠନ ଅଭିଯୋଗ କରିଛି । ସେପଟେ ବୀରେନ ସିଂ ସରକାର ଉପରେ ଏନପିପି ସମର୍ଥନ ପ୍ରତ୍ଯାହାର ପରେ କ୍ଷୁବ୍ଧ ହୋଇଛି ବିଜେପି । ନାଗାଲାଣ୍ଡରେ ଏନପିପି ସହ ସମ୍ପର୍କ ଛିନ୍ନ କରିବାକୁ ବିଜେପି ଦେଇଛି ଧମକ ।