ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ବେଙ୍ଗଲୁରୁ-ପଞ୍ଜାବ

1 min read

ନନ୍ଦିଘୋଷ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଆଇପିଏଲ ପହଞ୍ଚିଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ପ୍ଲେ ଅଫ । ପ୍ଲେ ଅଫର ଆଜି ଖେଳାଯିବ ପ୍ରଥମ କ୍ବାଲିଫାୟର । ଏଥିରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ଯାଲେଞ୍ଜର୍ସ ବେଙ୍ଗାଲୁରୁ । ଉଭୟ ଦଳ ଏଯାଏଁ ଟ୍ରଫି ଜିତିନଥିବାରୁ ପ୍ରଥମ ଟାଇଟଲ ହାସଲ ଲାଗି ଦମଦାର ପ୍ରୟାସ ଚଳାଇଛନ୍ତି । ଆଜିର ଲଢେଇ ତେଣୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଉଭୟ ଏହି ମ୍ୟାଚରୁ ଫାଇନାଲ ଟିକେଟ ହାସଲ କରିନେବା ସୁଯୋଗକୁ ହାତଛଡ଼ା କରିବେ ନାହିଁ । ପଏଣ୍ଟ ତାଲିକାରେ ଉଭୟ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଯିଏ ଜିତିବ ସିଏ ସିଧାସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ ଟିମ ହାରିବ ସିଏ କ୍ବାଲିଫାୟର-୨ ଖେଳି ଫାଇନାଲକୁ .ଯିବା ପାଇଁ ଉଦ୍ଯମ କରିବ । ଅର୍ଥାତ କ୍ବାଲିଫାୟର-୨ରେ କ୍ବାଲିଫାୟର-୧ର ପରାଜିତ ଦଳ ମୁମ୍ବାଇ ଇଣ୍ଡିଆନସ ଓ ଗୁଜୁରାଟ ଟାଇଟନ୍ସ ମଧ୍ଯରେ ଶୁକ୍ରବାର ଖେଳାଯିବାକୁ ଥିବା ଏଲିମିନେଟର ମ୍ଯାଚର ବିଜେତାକୁ ଭେଟିବ । ଆସନ୍ତା ଜୁନ ୧ ତାରିଖରେ ଖେଳାଯିବ କ୍ବାଲିଫାୟର-୨ ମ୍ଯାଚ । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି । ଅନ୍ଯପକ୍ଷରେ ୨୦୨୪ ସହ ମୋଟ ୯ ଥର ପ୍ଲେ ଅଫକୁ ଯାଇଥିଲେ ମଧ୍ଯ ଆରସିବି କେବେ ବି ଚାମ୍ପିଅନ ହୋଇପାରିନାହିଁ । ଏଣୁ ଉଭୟ ଦଳ ପାଇଁ ଆଜିର ମ୍ଯାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।