ଇରାନର ଆଣବିକ କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ହମଲା ଆଶଙ୍କ !

1 min read

ବ୍ୟୁରୋ ରିପୋର୍ଟ: ଇରାନ ବିରୋଧରେ ଜାରି ହେବ ଆମେରିକୀୟ କଟକଣା। ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ କାର୍ଯ୍ୟକ୍ରମ ଉପରେ ନୂଆ କଟକଣା ଲଗାଇବକୁ ଆମେରିକା ଘୋଷଣା କରିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ଇରାନର ହମଲା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବାଇଡେନ ପ୍ରଶାସନ। ସେପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ସହଜରେ ଗ୍ରହଣ କରିିପାରୁନି ଇସ୍ରାଏଲ। ଇରାନ ଉପରେ ଆକ୍ରମଣ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଇସ୍ରାଏଲ ନିକଟରେ ଥିବା F-16, F-15 ଓ F-35 ଫାଇଟର ଜେଟ ଜରିଆରେ ହମଲା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେପଟେ ଇରାନର ଆଣବିକ କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ହମଲା କରିପାରେ ବୋଲି ଆଶଙ୍କା ବ୍ଯକ୍ତ କରିଛି ଜାତିସଂଘ । ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ପକ୍ଷରୁ ଇରାନରେ ଥିବା ଆଣବିକ କେନ୍ଦ୍ରଗୁଡିକର ତଦାରଖ ଆଜିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନିରାପତ୍ତା ଦୃଷ୍ଟିରୁ ଗତ ରବିବାର ଇରାନ ନିଜର ଆଣବିକ କେନ୍ଦ୍ରଗୁଡିକୁ ବନ୍ଦ କରିଥିବା କୁହାଯାଇଛି।  ଇସ୍ରାଏଲର ସାମରିକ ମୁଖ୍ୟ କହିଛନ୍ତି- ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ଏହାର ଜବାବ ଦିଆଯିବ।

ସେପଟେ ଇରାନ କହିଛି- ଯଦି ଇସ୍ରାଏଲ କୌଣସି ଆକ୍ରମଣ କରେ ତେବେ କିଛି ସେକଣ୍ଡ ମଧ୍ଯରେ ଏହାର ଜବାବ ଦିଆଯିବ । ଇସ୍ରାଏଲ ସାମରିକ ମୁଖ୍ଯ ହେରିଜି ହାଲେଭି କହିଛନ୍ତି- ଗତ ଏପ୍ରିଲ ୧୩ ତାରିଖର ଆକ୍ରମଣର ଜବାବ ନେଇ ଇସ୍ରାଏଲ ଚିନ୍ତା କରୁଛି। ସେହିପରି ଇରାନ ରାଜନୈତିକ ବ୍ଯାପାର ଉପବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନ୍ କହିଛନ୍ତି- ଇସ୍ରାଏଲ ଯଦି ଆକ୍ରମଣ କରେ ତେବେ ଏହାର ଜବାବ କିଛି ସେକଣ୍ଡ ମଧ୍ୟରେ ଦିଆଯିବ। ସେପଟେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦ୍ବିତୀୟ ଓ୍ବାର କ୍ଯାବିନେଟରେ ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି। ତେଣେ ପେଣ୍ଟାଗନ ପ୍ରେସ ସଚିବ ପାଟ୍ ରାଇଡର କହିଛନ୍ତି- ମଧ୍ଯପ୍ରାଚ୍ୟରେ ସ୍ଥିରତା ଆମେରିକା ଚାହେଁ । ସାମାନ୍ୟ ସ୍ଥିରତା ଆସିବା ପରେ ଇସ୍ରାଏଲରେ ଜାରି ଅନେକ କଟକଣାକୁ ହଟାଇ ଦିଆଯାଇଛି। ସ୍କୁଲ ଖୋଲାଯାଇଥିବା ବେଳେ ବଡ ସମାବେଶ ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି।

ଅନ୍ୟପଟେ ଯୁଦ୍ଧ ସଙ୍କଟ ମଧ୍ଯରେ ସମଦୂରତା ବଜାୟ ରଖିବାକୁ ଚେଷ୍ଟା କରିଛି ଜୋର୍ଡାନ। ପ୍ରଶ୍ନ ଉଠୁଛି ଗାଜା ଉପରେ ଆକ୍ରମଣ ପ୍ରସଙ୍ଗରେ ଇସ୍ରାଏଲକୁ ନିନ୍ଦା କରିଥିବା ଜୋର୍ଡାନ କାହିଁକି ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ଧ୍ବଂସ କରିବାକୁ ଆଗେଇ ଆସିଲା। ଜୋର୍ଡାନ ରାଜା ଅବଦୁଲ୍ଲା ଦୁଇ କହିଛନ୍ତି ଆତ୍ମରକ୍ଷା ଲାଗି ତାଙ୍କ ଦେଶ ଇରାନ ଡ୍ରୋନକୁ ଖସାଇଥିଲା। ଡୋର୍ଡାନର ପଡୋଶୀ ସିରିଆ ଓ ଇରାକରେ ଇରାନର ବହୁ ପ୍ରକ୍ସି ଶକ୍ତି କାମ କରୁଛନ୍ତି । ୧୯୪୮ରୁ ୧୯୭୩ ମଧ୍ୟରେ ଜୋର୍ଡାନ ଓ ଇସ୍ରାଏଲ ମଧ୍ୟରେ ଚାରିଟି ଯୁଦ୍ଧ ହୋଇଛି। ୧୯୯୪ରେ ସେମାନଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ଡୋର୍ଡାନରେ ପ୍ରାୟ ୩୦ ଲକ୍ଷ ପାଲେଷ୍ଟିନୀୟ ରହୁଛନ୍ତି । ଜୋର୍ଡାନରେ ବି ସିରିଆ ଓ ଇରାକର ପ୍ରାୟ ୧୫ ଲକ୍ଷ ଶରଣାର୍ଥୀ ବାସ କରୁଛନ୍ତି । ଡୋର୍ଡାନର ଅର୍ଥନୀତି, ଭିତ୍ତିଭୂମି କ୍ଷେତ୍ରରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଛି। ପାଣି, ଶକ୍ତି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଇସ୍ରାଏଲ ଉପରେ ନିର୍ଭର କରୁଛି ଜୋର୍ଡାନ। ଏସବୁ ଦୃଷ୍ଟିରୁ ଜୋର୍ଡାନ ସମଦୂରତା ବଜାୟ ରଖିବାକୁ ଶ୍ରେୟ ମଣିଛି।