ନନ୍ଦିଘୋଷ ବ୍ୟୁରୋ ; ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ୧୫ ଦିନ ହେଲା ଯୁଦ୍ଧ ପାଇଁ ଘାଇଲା ସାରା ବିଶ୍ବ । ଇରାନର ଦୁର୍ବଳ ସ୍ଥାନରେ ଭୟଙ୍କର ଆକ୍ରମଣ କରିଛି ଆମେରିକା । ଇରାନର କ୍ରାଉନ ଜୁଏର ଖର୍ଗ ଦ୍ବୀପରେ ଲଗାତର ରକେଟ ମାଡ଼ କରିଛି ଆମେରିକା । ଇରାନ ତୈଳ ହବ ଭାବେ ପରିଚିତ ଖର୍ଗ ଦ୍ବୀପକୁ ଧ୍ବଂସ କରିଛନ୍ତି ଆମେରିକାର ସେଣ୍ଟ୍ରାଲ କମାଣ୍ଡ । ଷ୍ଟେଟ ଅଫ ହର୍ମୁଚର ୪୮୩ କିଲୋମିଟର ଦୂର ଉତ୍ତର ପଶ୍ଚିମରେ ଥିବା ଏହି ଖର୍ଗ ଦ୍ବୀପ ଇରାନର ସର୍ବବୃହତ୍ତ ତୈଳ ରିଫାଇନାରୀ । ଯେଉଁଠାରେ ଦୈନିକ ପ୍ରାୟ ୭୦ ଲକ୍ଷ ବ୍ଯାରେଲ ତୈଳ ଉତ୍ପାଦନ ହୋଇଥାଏ । ଏହାକୁ ଧ୍ବଂସ କରି ଇରାନର ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଦେଇଛି ଆମେରିକା । ଇରାନ ପରମାଣୁ ଅସ୍ତ୍ର ପାଇବନି, ଆତ୍ମସମର୍ପଣ ବ୍ଯତୀତ ତା ନିକଟରେ ଆଉ କୌଣସି ବାଟ ନାହିଁ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । ନଚେତ ଇରାନର ଚିହ୍ନବର୍ଣ୍ଣ ରହିବନି ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ସେପଟେ ଏକ ହସ୍ପିଟାଲ ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମେଡିକାଲ ଉପରେ ହୋଇଛି ଭୟଙ୍କର ରକେଟ ମାଡ଼ । ସେପଟେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ମୋଜତାବା ଖାମେନେଇଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଛି ପୁରସ୍କାର ରାଶି । ଖାମେନେଇ ଓ ତାଙ୍କ ୧୦ ନେତାଙ୍କୁ ଆତଙ୍କବାଦୀ ଦର୍ଶାଇବା ସହ ତାଙ୍କ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ୧୦ ମିଲିୟନ ଡଲାର ପରସ୍କାର ଦେବ ଆମେରିକା । ଏସବୁ ଭିତରେ କିନ୍ତୁ ଭାରତକୁ ମିଳିଛି ବଡ଼ ଆସ୍ବସ୍ତି । ଭାରତର ଏଲପିଜି ଜାହାଜକୁ ଅଟକାଇବ ନାହିଁ ବୋଲି ଇରାନ ପ୍ରତିଶ୍ରୁତି ଦେଇଛି। ଭାରତ ଆସୁଥିବା ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଛାଡ଼ିବ । ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ତେହେରାନ। ଖୁବଶୀଘ୍ର ଦୁଇଟି ଜାହାଜ ଭାରତରେ ପହଞ୍ଚିବ । ନୂଆଦିଲ୍ଲୀରେ ଥିବା ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଭାରତ ହେଉଛି ଆମର ବନ୍ଧୁ ରାଷ୍ଟ୍ର। ତେଣୁ ଭାରତର ଜାହାଜକୁ ଅଟକା ଯିବ ନାହିଁ। ଇରାନର ଏହି ନିଷ୍ପତ୍ତି ପରେ ଦେଶରେ ଏଲପିଜି ସଂକଟର ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇପାରେ।

