ତୀବ୍ର ହେବାରେ ଲାଗିଛି ମଧ୍ୟପ୍ରାଚ୍ୟ ସଙ୍କଟ, କେମିତି ଆସିବେ ଭାରତୀୟ?
1 min read
ନନ୍ଦିଘୋଷ ବ୍ୟୁରୋ : ତୀବ୍ର ହେବାରେ ଲାଗିଛି ମଧ୍ୟପ୍ରାଚ୍ୟ ସଙ୍କଟ। ଇସ୍ରାଏଲ-ଇରାନ ମଧ୍ୟରେ ବଢୁଛି ଉତ୍ତେଜନା। ସେପଟେ ଇରାନରେ ଥିବା ୧୦ ହଜାର ଭାରତୀୟ ଛାତ୍ର, କର୍ମଚାରୀଙ୍କୁ ଭାରତ ଆଣିବା ଲାଗି ବଢିଲା ଚିନ୍ତା। ଭୌଗଳିକ କାରଣ ସମେତ ଏୟାରସ୍ପେସ କଟକଣା, କୂଟନୈତିକ ତିକ୍ତତା କାରଣରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇପାରେ। ଏହି ୧୦ ହଜାର ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨ ହଜାର ହେଉଛନ୍ତି ଛାତ୍ର। ୬ ହଜାର ହେଉଛନ୍ତି କର୍ମଚାରୀ। ଏହା ସହ ବହୁ ସଂଖ୍ୟକ ଭାରତୀୟ ନାବିକ ବି ରହୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଯେପରି ଭାରତୀୟ ଛାତ୍ରଙ୍କୁ ଆଣିବା ଲାଗି ଅପରେସନ ଗଙ୍ଗା ହୋଇଥିଲା ଠିକ୍ ସେପରି ଇରାନ କ୍ଷେତ୍ରରେ ଘଟିବା ଆଶା କରାଯାଉଛି। ଭାରତୀୟଙ୍କୁ ପାକିସ୍ତାନ ଓ ଆଫଗାନିସ୍ତାନ ଦେଇ ବିମାନରେ ଆଣିବା ଠିକ୍ ହୋଇ ନପାରେ। କାରଣ ଭାରତ ଲାଗି ଏୟାର ସ୍ପେସ୍ ବନ୍ଦ କରିଛି ପାକିସ୍ତାନ। ଇରାନ ଉପରେ ଇସ୍ରାଏଲ ବିଭିନ୍ନ ଦିଗରୁ ଆକାଶମାର୍ଗରୁ ଆକ୍ରମଣ କରୁଥିବାରୁ ଭାରତୀୟ ବିମାନ ଲାଗି ଅସୁବିଧା ଆସିପାରେ। ୟୁକ୍ରେନ କ୍ଷେତ୍ରରେ ରେଳ, ରୋଡର ଆଦିର ସୁବିଧା ଥିଲା। ମାତ୍ର ଇରାନ କ୍ଷେତ୍ରରେ ତାହା ସମ୍ଭବ ନୁହେଁ। ତେହରାନ ଛାଡ଼ିବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ବି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୧୧୦ ଜଣଙ୍କୁ ଆର୍ମେନିଆ ଦେଇ ଭାରତ ଅଣାଯାଉଛି। ପ୍ରାୟ ୭୦୦ ଲୋକ କେନ୍ଦ୍ରୀୟ ଇରାନରୁ ନିରାପଦ କୁହାଯାଉଥିବା କୋମ୍ ସହରକୁ ଚାଲିଗଲେଣି। ଆର୍ମେନିଆ, ଆଜରବୈଜାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗି ରହିଛି ଇରାନ। ଅପରେସନ ସିନ୍ଦୂରକୁ କେନ୍ଦ୍ର କରି ଭାରତ ଲାଗି ଏୟାର ସ୍ପେସ ବନ୍ଦ କରିଛି ପାକିସ୍ତାନ।