ନନ୍ଦିଘୋଷ ବ୍ୟୁରୋ : ଆପଣଙ୍କୁ ବିନା କାରଣରେ ସବୁବେଳେ ରାଗ ଆସୁଛି କି ? ଚିଡିଚିଡା ଲାଗୁଛି କି ବା ଛୋଟ ଛୋଟ କଥାରେ ସହଜରେ ରାଗିଯାଉଛନ୍ତି କି ତାହେଲେ ହୋଇଯାଆନ୍ତୁ ସାବଧାନ, ଆପଣ ମଧ୍ୟ ପଡ଼ିପାରନ୍ତି ଏହି ସବୁ ସମସ୍ୟାରେ । ଛୋଟ ଛୋଟ କଥାରେ ସମସ୍ତଙ୍କୁ ରାଗ ଆସିବା ଏକ ସାଧାରଣ କଥା । କିନ୍ତୁ ଏହାକୁ ସାଧାରଣ ଭାବି ଅଣଦେଖା କରିବା ଆଦୌ ଠିକ୍ ନୁହେଁ । ଯଦି ଆପଣଙ୍କୁ ବିନା କାରଣରେ ଅତ୍ୟଧିକ ରାଗ ଆସୁଥାଏ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଯାହା ନାନା ପ୍ରକାରର ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । ଯେପରିକି ମାନସିକ ଚାପ, ଚିନ୍ତା, ଚିଡିଚିଡା ଭଳି ଅନେକ ସମସ୍ୟା । ଅଧିକ ରାଗିବା କେବଳ ଶରୀର ନୁହେଁ ମାନସିକ ସ୍ଥରରେ ବି ଚାପ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଏମିତି ରାଗ କାହିଁକି ଆସିଥାଏ ? ଏହାଦ୍ବାରା କେଉଁ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ଓ ରାଗକୁ କେମିତି ନିୟନ୍ତ୍ରଣ କରିବେ ?
ଅତ୍ୟଧିକ ରାଗ ଆସିବାର କାରଣ :
ଆମକୁ ପ୍ରଥମେ ଜାଣିବା ଦରକାର କିଛି ଅନୁଭବ କଲେ କି ଶୁଣିଲେ ଜଣଙ୍କୁ ରାଗ କାହିଁକି ଆସିଥାଏ ? ଶରୀରର କେଉଁ ଅଙ୍ଗ ଏହାର କାରକ ଅଟେ ? ବାସ୍ତବରେ ଆମ ମସ୍ତିଷ୍କରେ ଆମିଗ୍ଡାଲା ନାମକ ଏକ ଛୋଟ ଅଂଶ ରହିଛି । ଯାହାକୁ ଶରୀରର ଆଲାରାମ ବୋଲି କୁହାଯାଇଥାଏ । ଯଦି କୌଣସି କଥା ଖରାପ ଲାଗେ କି କୌଣସି କାମ ଇଚ୍ଛା ଅନୁସାରେ ହୋଇନଥାଏ ସେତେବେଳେ ମସ୍ତିଷ୍କର ଏହି ଅଂଶଟି ଆକ୍ଟିଭ ହୋଇଯାଇଥାଏ । ଜଣେ ବ୍ୟକ୍ତି ଅଧିକ ରାଗୁଥିବାର କାରଣ ହେଲା ତାଙ୍କର ଏହି ଅଂଶଟି ଅଧିକ ଆକ୍ଟିଭ ରହିଥାଏ । ଯାହା ଚିନ୍ତା କରିବା ଓ ସ୍ଥିତି ପରଖିବା ଅଂଶକୁ ବ୍ଲକ କରି ଦେଇଥାଏ ।
ରାଗ ଆମ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ?
ସାଧାରଣ ଭାବରେ କହିବାକୁ ଗଲେ ରାଗ ସମସ୍ତଙ୍କୁ ଆସିଥାଏ କିନ୍ତୁ ଏହା ଦ୍ବାରା ଆମ ଶରୀରରେ କେଉଁ ପରିବର୍ତ୍ତନ ହୋଇଥାଏ ଆସନ୍ତୁ ଜାଣିବା …ମସ୍ତିଷ୍କରେ ଆମିଗ୍ଡାଲା ଆକ୍ଟିଭ ହେବା ମାତ୍ରା ଏଣ୍ଡ୍ରିନାଲିନ ଏବଂ କୋର୍ଟିସୋଲ ନାମକ ଷ୍ଟ୍ରେସ ହରମୋନ ବାହାରିଥାଏ । ଯାହା ରାଗ ସମୟରେ ଏକାଧିକ ଶାରୀରିକ ପରିବର୍ତ୍ତନ କାରଣ ହୋଇଥାଏ । ତେବେ ମୁଖ୍ୟ କାରଣ ହେଉଛି ହୃଦସ୍ପନ୍ଦନ ବଢିଯିବା, ହଠାତ ରକ୍ତଚାପ ବୃଦ୍ଧି, ମାଂସପେଶୀ ଟାଣ ହୋଇଯିବା, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହାସହ ମୁହଁ ଓ ହାତରେ ରକ୍ତ ପ୍ରବାହ ବଢ଼ିଯିବା କାରଣରୁ ଶରୀର ନାଲି ପଡିଯାଏ ।
ଅଧିକ ରାଗ ହେବା ବଡ଼ ବେମାରୀର ସଙ୍କେତ କି ?
ଆଜ୍ଞା ହଁ କିଛି ବିଶେଷଜ୍ଞଙ୍କ ମତରେ ବାରମ୍ବାର ରାଗ ଆସିବା ଶରୀର ପ୍ରତି ବହୁତ କ୍ଷତିକାରକ । ବାରମ୍ବାର ରାଗିବା ଦ୍ବାରା ଜଣେ ବ୍ୟକ୍ତି ଚିନ୍ତାଗ୍ରସ୍ତ ହେଇଯାଏ ଯାହାଫଳରେ କି ହୃଦଘାତ, ବ୍ରେନ୍ ଷ୍ଟ୍ରୋକ ଏବଂ ଅନିଦ୍ରା ପରି ରୋଗ ହେବାର ସମ୍ଭାବନା ବଢ଼ାଇ ଦେଇଥାଏ ।
ରାଗ ନିୟନ୍ତ୍ରଣର ଉପାୟ :
ଆମ ଭିତରେ କୌଣସି କାରଣରୁ ଆସୁଥିବା ରାଗକୁ ନିୟନ୍ତ୍ରଣ କରିହେବ । ସେଥିପାଇଁ କିଛି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବାକୁ ପଡିବ । ଯେମିତିକି ନିୟମିତ ଯୋଗ ଓ ଧ୍ୟାନ, ସନ୍ତୁଳିତ ଖାଦ୍ୟ, ଆବଶ୍ୟକ ଅନୁଯାୟୀ ପାଣି ପିଇବା ଦ୍ବାରା ମସ୍ତିଷ୍କ ଶାନ୍ତ ରହିଥାଏ । ଯଦି ଆପଣଙ୍କୁ ହଠାତ ରାଗ ଲାଗୁଛି ତେବେ ଲମ୍ବା ନିଶ୍ବାସ ନିଅନ୍ତୁ, ୧ରୁ ୧୦ ପର୍ଯ୍ୟନ୍ତ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ । ଏହା ରାଗକୁ ଶାନ୍ତି କରିବାରେ ସହାୟକ ହେବ । ସେହିପରି ରାଗ ଆସିଲେ ଯଥା ସମ୍ଭବ ସେହି ସ୍ଥାନରୁ କିଛି ସମୟ ପାଇଁ ଅନ୍ୟତ୍ର ପଳାନ୍ତୁ ଓ ଥଣ୍ଡା ପାଣି ପିଅନ୍ତୁ । ତଥାପି ଯଦି ଆପଣ ଅତ୍ୟଧିକ ରାଗିବା ଭଳି ସମସ୍ୟାରେ ପଡୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ ।

