କ’ଣ ପାଇଁ ଇସ୍ରାଏଲ ମହିଳା ସୈନିକ କହିଲେ ସମସ୍ତଙ୍କୁ ମାରି କୁଆଡେ ପଳାଇବି କି ?

1 min read

ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧ । ହମାସର ଗୋଟିଏ ରକେଟ୍ ଯବାବରେ ଇସ୍ରାଏଲ ଛାଡୁଛି ଏକରୁ ଅଧିକ । ଆତଙ୍କ ଏମିତି ଯେ, ଆତଙ୍କବାଦୀ ସଂଗଠନ ହମାସ ଚାହୁଁଛି ଶାନ୍ତି । ସନ୍ଧି । ତେବେ ଯୁଦ୍ଧ ଖାଲି ଆକାଶରେ କି ଭୂମିରେ ଲଢା ଯାଉନି । ଯୁଦ୍ଧ ମଧ୍ୟ ସୋସିଆଲ ମିଡିଆରେ ଚାଲିଛି । ଆଇଡିଏଫ୍ ବା ଇସ୍ରାଏଲ ଡିଫେନ୍ସ ଫୋର୍ସର ଜଣେ ମହିଳା ସୈନିକ ଏବେ ଭାଇରାଲ । ଭାଇରାଲ ହେବାର କାରଣ ହେଉଛି ଗୋଟିଏ ଭିଡିଓ ।
ସୈନିକଙ୍କ ନାଁ ହେଉଛି ୟେଲ ଡେରୀ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବା ୟେଲ୍ ଅନେକ ପୋଷ୍ଟ ଓ ଭିଡିଓ କରନ୍ତି । ଏମିତିକି ସେ ଟିକ୍ଟିକ୍ରେ ମଧ୍ୟ ଡାଇଲଗ୍ ଓ ଗୀତର ଲିପସିଙ୍ଗ କରି ଭିଡିଓ ବନାନ୍ତି । ହେଲେ ଏବେ ଇସ୍ରାଇଲ ଓ ପାଲେଷ୍ଟାଇନର ଯୁଦ୍ଧର ଏହି ଗମ୍ଭୀର ପରିସ୍ଥିତିରେ ୟେଲ ଡେରୀଙ୍କର ଭିଡିଓ ହେଉଛି ଭାଇରାଲ । ଏହି ଭିଡିଓରେ ସେ ଏକ ଡାଇଲଗ୍ କହୁଛନ୍ତି ଯେ- ମୁଁ ସମସ୍ତଙ୍କୁ ମାରି ଦେଇ କୁଆଡେ ପଳେଇଯିବି କି ?

ଭିଡିଓରେ ଡେରୀ ୨୦୧୬ରେ ଆସିଥିବା ସୁସାଇଡ୍ ସ୍କ୍ୟୁାଡ ଚଳଚିତ୍ରର ଏକ ଡାଇଲଗକୁ ଲିପ୍ ସିଙ୍କ୍ କରୁଛନ୍ତି । ଏହି ଭିଡିଓକୁ ଦେଖି କିଛି ଲୋକ ୟେଲଙ୍କର ଅସମ୍ବେଦନଶୀଳତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ’ କେହି କେହି ୟେଲଙ୍କ ଉପରେ ରାଗି ପାଚି ଲାଲ । ୟେଲଙ୍କର ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ପାଲେଷ୍ଟାଇନର ଜାତୀୟ ସଂଗୀତରେ ନାଚି ଚର୍ଚ୍ଚାକୁ ଆସିଥିଲେ ୟେଲ୍ । ନିଜ ଶତ୍ରୁ ଦେଶର ଜାତୀୟ. ସଂଗୀତରେ କିଭଳି ନାଚି ହସିପାରୁଛନ୍ତି ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ହେଲେ ୟେଲଙ୍କ ବିଷୟରେ ତାଙ୍କ ନିଜ ଡିଫେନ୍ସ ଫୋର୍ସ ବହୁତ ପ୍ରଶଂସା କରନ୍ତି । ସେ ଜଣେ ଦକ୍ଷ ସୈନିକ ବୋଲି ସେମାନଙ୍କ ଅଫିସିଆଲ ଆକାଉଣ୍ଟରେ ବି ଲେଖିଛନ୍ତି ।

ତେବେ ଦେଖିବାକୁ ଗଲେ ଇସ୍ରାଇଲ ଡିଜିଟାଲ ଦୁନିଆରେ ଖୁବ୍ ଆକ୍ଟିଭ୍ । ଆଉ ଖାସ୍ ସେଥିପାଇଁ ତ କିଛିଦିନ ତଳେ ମଡେଲ ବେଲା ହଦୀଦଙ୍କୁ ଟୁଇଟ ମାଧ୍ୟରେ ଇସ୍ରାଇଲ କଡା ପ୍ରତିଉତ୍ତର ଦେଇଥିଲା ।

ଏହି ଟୁଇଟରେ ମଡେଲ ବେଲା ହଦୀଦ ଇସ୍ରାଇଲର ବିନାଶ ଚାହାନ୍ତି ବୋଲି ଲେଖାହୋଇଥିଲା । ତେବେ ବର୍ତମାନର ସ୍ଥିତିକୁ ଦେଖି ଉଭୟ ଦେଶ ପରସ୍ପର ଉପରକୁ ଆଙ୍ଗୁଳି ଉଠାଇବାରେ ବ୍ୟସ୍ତ । କେବଳ ୟେଲଙ୍କ ପୋଷ୍ଟ ନୁହେଁ ବରଂ ଏହିସମୟରେ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ହେଉଛି ଯାହା ଇସ୍ରାଇଲ ଓ ପାଲେଷ୍ଟାଇନ ସହ ଜଡିତ ଫେକ୍ ନ୍ୟୁଜ କିମ୍ବା ଚର୍ଚ୍ଚାର ବିଷୟବସ୍ତୁ ପାଲଟୁଛି । ଏହିସବୁ ପୋଷ୍ଟ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ଭିତରେ ଆକ୍ରୋଶଭାବକୁ ଜାଗ୍ରତ କରାଯାଉଛି ।

Leave a Reply