ଜଗତସିଂହପୁର : ସରକାର ଚାଷୀଙ୍କୁ ସବସିଡି ଜରିଆରେ କଦଳୀ ଚାରା ଦେଲେ । ସାତ ମାସରେ ଫଳ ଫଳିବ ବୋଲି ମିଳିଳା ପ୍ରତିଶୃତି । ଅଥଚ ୧୦ ମାସ ବିତିଲାଣି କଦଳୀର ନାଁ ଗନ୍ଧ ନାହିଁ । ଚିନ୍ତାରେ ଜଗତସିଂହପୁର ରଘୁନାଥପୁର ବ୍ଲକ ରେଢୁଆ ପଂଚାୟତ ଅରେଇକଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ ଚନ୍ଦ୍ର ମହାପାତ୍ର । ଶରତ ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଚାରା ଗଛ ପିଛା ୧୯ ଟଙ୍କା ୭୫ ପଇସା ହିସାବରେ ୯୨୭ ଟି ଚାରା ଆଣିଥିଲେ । ନିଜର ଦୁଇ ଏକର ଜମିରେ ୫୦ ହଜାରରୁ ଉର୍ଦ୍ଧ୍ଵ ମଜୁରୀ ଦେଇ କଦଳୀ ଚାରା ଲଗାଇଥିଲେ । ଚାରା ପୋତିବାର ୧୦ ମାସ ବିତିଥିଲେ ସୁଦ୍ଧା କେଉଁଠି ଗଛ ତିନି ଫୁଟରେ ରହି ଯାଇଛି ତ ଆଉ କେଉଁଠି ୧୦ ଫୁଟର ହେଲାଣି କିନ୍ତୁ କଦଳୀ ଫଳୁନି । ଯେଉଁ ଗଛରେ କଦଳୀ କାନ୍ଧି ପଡିଛି ସେଥିରେ ଦୁଇରୁ ତିନିଟି ଫେଣା ହୋଇଛି । ତାକୁ ବେପାରୀ ବି ନେଉନାହାନ୍ତି । ଯାହାକୁ ନେଇ ଶରତଙ୍କ ସହ ଅନ୍ୟ ଚାଷୀ ଚିନ୍ତାରେ ଘାରି ହେଉଛନ୍ତି ।
କିଛି ଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ କରାଯାଇଥିଲା । ଏବେ କଦଳୀ ଚାରାରେ ଚାଷୀଙ୍କୁ ସରକାର ଠକିଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଘଟଣା ସଂପର୍କରେ ମୁହଁ ଖୋଲୁନାହାନ୍ତି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ।

