ଆଦିବାସୀ ଓ ଭୂମିହୀନ ଦଳିତ ପରିବାରଙ୍କୁ ସରକାରଙ୍କ ଅଣଦେଖା

ଜଗତସିଂହପୁର : ଅନୁସୂଚିତ ଜନଜାତି ଓ ଭୂମିହୀନଙ୍କ ମୁହଁରେ ନବୀନ ଫୁଟାଉଥିଲେ ହସ । ଏବେ ହଇରାଣ କରୁଛନ୍ତି ବିଜେପି ସରକାର । ଏପରି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ପୌରପରିଷଦ ଅଧୀନ ଦୁଇ ନମ୍ବର ୱାର୍ଡ ମାର୍କଣ୍ଡପୁର ଆଦିବାସୀ ପଡାର ବାସିନ୍ଦା । ଏଠାରେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ଵ ଅନୁସୂଚିତ ଜନଜାତି ଓ ଆଦିବାସୀ ପରିବାର ବସବାସ କରୁଛନ୍ତି । ସେମାନଙ୍କ ପାଇଁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାସ୍ତାଘାଟ ଠାରୁ ଶୌଚାଳୟ, ପିଲାମାନଙ୍କ ନିମନ୍ତେ ପାର୍କ ବ୍ଯବସ୍ଥା କରିଥିଲେ । ଯାହାକୁ ବିଜୁ ଆଦର୍ଶ କଲୋନୀ ଭାବରେ ନାମିତ କରାଯାଇଥିଲା । ହେଲେ ବିଜେପି ସରକାର କଲୋନୀ ଉପରେ ଦୃଷ୍ଟି ଦେଉନଥିବାରୁ ଶୌଚାଳୟ ଭିତରେ ଅନାବନା ଗଛ ଭର୍ତ୍ତି ହୋଇଥିବା ବେଳେ ଫାଟକ ମେଲା ହୋଇ ପଡିଛି । ଟାଙ୍କିରୁ ପାଣି ଆସୁନଥିବା ବେଳେ ପାର୍କରେ ଖେଳ ସାମଗ୍ରୀ, ବେଞ୍ଚ ଭାଙ୍ଗି ଯାଇଛି । ପାଚେରୀ ଭୁଶୁଡି ପଡିଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଲାଣି ।
ସେପଟେ ଜଗତସିଂହପୁର ପୌରାଧ୍ଯକ୍ଷଙ୍କୁ ଆଦିବାସୀ ପଡା ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ପଚାରିବାରୁ ସେ କହିଛନ୍ତି, ଆମର ଦୀର୍ଘ ଦିନ ହେଲା ଅଫିସରେ କନିଷ୍ଠ ଯନ୍ତ୍ରୀ ନାହାନ୍ତି । ଫଳରେ ପ୍ରାୟ ବର୍ଷେ ହେଲାଣି କୌଣସି ଉନ୍ନୟନମୂଳକ କାମ ହେଇ ପାରୁନାହିଁ । ଏହି ସମସ୍ଯା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।