ଜଳେଶ୍ବର : ବେଆଇନ ଚାଲାଣ ଅଭିଯୋଗରେ ମାଟି ବୋଝେଇ ହାଇୱା ଜବତ। ବାଲେଶ୍ଵର ଜଳେଶ୍ବର ଥାନା ମହମ୍ମଦନଗର ପାଟଣାରୁ ଜବତ କରିଛି ପୋଲିସ। ବେଲପାଳ ଅଞ୍ଚଳରୁ ଶନିବାର ବିଳମ୍ବିତ ରାତିରେ ୭ଟି ମାଟି ବୋଝେଇ ହାଇଓ୍ବାକୁ ପ୍ରଶାସନ ଜବତ କରିଛି। ମୟୁରଭଞ୍ଜ ଅଞ୍ଚଳରୁ ମାଟି ବୋଝେଇ ହାଇଓ୍ବା ଗୁଡ଼ିକ ବେଲପାଳ ଅଞ୍ଚଳର ଏକ ପୋଖରୀକୁ ପୋତିବାକୁ ନିୟୋଜିତ ହୋଇଥିଲା। ଖବର ପାଇ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ଵର ତହସିଲଦାର ଚଢାଉ କରି ହାଇଓ୍ବା ଗୁଡ଼ିକ ଜବତ୍ କରିଥିଲେ। ପରେ ପୋଲିସ ପ୍ରଶାସନ ଜରିଆରେ ହାଇଓ୍ବା ଗୁଡ଼ିକ ଥାନା ପରିସରକୁ ଅଣାଯାଇଥିବା ବେଳେ ମାଟି ପରିବହନର ବୈଧ କାଗଜପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟା ଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ମାଟି ପରିବହନ ଲାଗି ନିର୍ଦ୍ଦିଷ୍ଟ କଟକଣା ଜାରି କରାଯାଇଥିବା ବେଳେ ପରିବହନ ସମୟରେ ଜରିପାଲ ଘୋଡ଼ାଇ ନେବାର ନିୟମ ରହିଛି। ମାତ୍ର ଜବତ ହାଇଓ୍ବା ଗୁଡ଼ିକ ନିୟମକୁ ଉଲଂଘନ କରିଥିବା ଦେଖିବାକୁ ମିଳିଛି।

