ଜଲିଆନୱାଲା ବାଗ ହତ୍ୟାକାଣ୍ଡ: ୧୫ ମିନିଟରେ ଫୁଟିଥିଲା ୧୬୫୦ ରାଉଣ୍ଡ ଗୁଳି, ଜୀବନ ବଞ୍ଚାଇବାକୁ କୂଅରେ ଡେଇଁଥିଲେ ଲୋକେ

1 min read

ପଞ୍ଜାବ: ୧୩ ଏପ୍ରିଲ ୧୯୧୯ ମସିହାରେ ଅର୍ଥାତ ଆଜିର ଦିନରେ ପଞ୍ଜାବର ଅମୃତସରର ଜାଲିଆନୱାଲା ବାଗ ସହରରେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ନେତୃତ୍ୱରେ ଇଂରେଜ ସୈନିକ ଗୁଳି ଚାଳନା କରି ସେଠାରେ ଥିବା ପୁରୁଷ, ମହିଳା, ବୃଦ୍ଧ, ଶିଶୁ ମାନଙ୍କୁ ହତ୍ୟା କରିଥିଲେ । ଏହି ଗୁଳିକାଣ୍ଡରେ ଶହ ଶହ ଲୋକ ଆହତ ହୋଇଥିଲେ । ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ହେଉଛି ବ୍ରିଟିଶ ଇତିହାସର ସେହି କଳା ପୃଷ୍ଠା ଯାହା ବ୍ରିଟିଶମାନଙ୍କ ଅତ୍ୟାଚାରକୁ ପ୍ରତିଫଳିତ କରିଥାଏ  । ତେବେ ଆସନ୍ତୁ ଏହି ଅନ୍ଧକାର ଦିନର କାହାଣୀ ବିଷୟରେ ବିସ୍ତୃତ ଭାବରେ ଜାଣିବା |

ଜଲିଆନୱାଲା ବାଗ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଥିବା ଏକ ଛୋଟ ବଗିଚା । ଏହି ବଗିଚାଟି ବ୍ରିଟିଶ ଶାସନର ଜେନେରାଲ ଡାୟାରର ଅତ୍ୟାତାରର କାହାଣୀକୁ କୁହେ, ଯେତେବେଳେ ସେ ଏଠାରେ ଶତାଧିକ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ। ୧୩ ଏପ୍ରିଲ ୧୯୧୯କୁ ଇତିହାସରେ ଦୁନିଆର ସବୁଠାରୁ ବଡ଼ ହତ୍ୟାକାଣ୍ଡ ବୋଲି କୁହାଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନୱାଲା ବାଗ ହତ୍ୟାକାଣ୍ଡର ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେମାନଙ୍କ ସାହାସ ଏବ ବୀରତ୍ୱକୁ ଏ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି ।

କିପରି ଆରମ୍ଭ ହୋଇଥିଲା ସେ ଦୁର୍ଘଟଣା-

ସେ ଦିନ ରବିବାର ଥିଲା ଏବଂ ନିକଟ ଗ୍ରାମରୁ ବହୁ କୃଷକ ଅମୃତସରକୁ ଆସିଥିଲେ ହିନ୍ଦୁ ଏବଂ ଶିଖମାନଙ୍କ ପର୍ବ ବୈଶାଖୀ ପାଳନ କରିବାକୁ । ଲୋକମାନେ ନୂତନ ପୋଷାକ ପିନ୍ଧିଥିଲେ । କିନ୍ତୁ ହେବାକୁ ଯାଉଥିବା ସେହି ଦୁର୍ଘଟଣା ସମ୍ପର୍କରେ କେହି ବି ଜାଣି ନ ଥିଲେ।

ବୈଶାଖୀ ଦିନ ସମସ୍ତେ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରିବା ପରେ ଧୀରେ ଧୀରେ ଜଲିଆନୱାଲା ବାଗରେ ଏକାଠି ହେବାକୁ ଲାଗିଲେ । କିଛି ସମୟ ମଧ୍ୟରେ ହଜାର ହଜାର ଲୋକ ସେହି ବଗୀଚାରେ ଏକତ୍ରିତ ହେବାକୁ ଲାଗିଲେ । ଏହି ବଗିଚା ଭିତରକୁ ଯିବା ପାଇଁ କେବଳ ଗୋଟିଏ ଦ୍ୱାରା ଥିଲା | ଜେନେରାଲ ଡାୟର ବଗିଚାକୁ ପ୍ରବେଶ କରିବାର ସେହି ଏକମାତ୍ର ଦ୍ୱାରକୁ ସୈନିକ ମାନଙ୍କ ଦ୍ୱାରା ଘେରି ଦେଇଥିଲେ ।

ଜାଲିଆନୱାଲା ହତ୍ୟାକାଣ୍ଡ: କୂଅରି ବାହାରିଥିଲେ ଶହ ଶହ ମୃତଦେହ-

ଜେନେରାଲ୍ ଡାୟର୍ ପୂର୍ବରୁ ଜାଣିଥିଲେ ଯେ ଲୋକମାନେ ଉଦ୍ୟାନରେ ଏକାଠି ହେବାକୁ ଯାଉଛନ୍ତି | ସେ ସୁଯୋଗ ଦେଖି ନିଜ ସୈନିକ ମାନଙ୍କ ସହିତ ସେଠାରେ ପହଞ୍ଚିଲେ। ଏହା ପରେ ଡାୟର ସୈନିକମାନଙ୍କୁ ବିନା ଚେତାବନୀରେ ଗୁଳି  କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କ୍ଷଣିକ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ବୃଦ୍ଧ, ଶିଶୁ, ମହିଳାଙ୍କ ଭିଡରେ ୧୦ ରୁ ୧୫ ମିନିଟରେ ୧୬୫୦ ରାଉଣ୍ଡ ଗୁଳି ଚଳାଇଥିଲେ।

ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଇତଃସ୍ଥତ ଦୌଡ଼ିବାକୁ ଆରମ୍ଭ କଲେ | ଏପରିକି ଲୋକମାନେ ଗୁଳିରୁ ରକ୍ଷା ପାଇବା ପାଇଁ ବଗିଚାରେ ଥିବା ଏକ କୂଅକୁ ଡେଇଁପଡିଥିଲେ। କୁହାଯାଏ ଯେ କୂଅରୁ ଅନେକ ଶବ ବାହାର କରାଯାଇଥିଲା। ଯେଉଁଥିରେ ଶିଶୁ, ବୃଦ୍ଧ, ମହିଳା, ପୁରୁଷ ଅନ୍ତର୍ଭୁକ୍ତ ଥିଲେ | ଏହା ସହ ଭିଡ଼ରେ ଦଳି ଚକଟି ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ ।

ଜେନେରାଲ୍ ଡାୟରଙ୍କ ସ୍ପଷ୍ଟୀକରଣ-

ରିପୋର୍ଟ ଅଫ୍ ଡିସର୍ଡର୍ସ ଇନକ୍ୱାରି କମିଟି (୧୯୧୯-୧୯୨୦) ଅନୁଯାୟୀ ଜେନେରାଲ୍ ଡାୟର୍ ତାଙ୍କ କାର୍ଯ୍ୟକୁ ଯଥାର୍ଥ ବୋଲି ଯୁକ୍ତି ଦର୍ଶାଇ କହିଛନ୍ତି ଯେ ସେ ତାଙ୍କ କର୍ତ୍ତବ୍ୟକୁ ପାଳନ କରିଛନ୍ତି । ଡାୟର ସ୍ୱୀକାର କରିଛନ୍ତି ଯେ ଜାଲିଆନୱାଲା ବାଗରେ ବିନା ଗୁଳି ଚଳାଇ ସେ ସଭାକୁ ଭାଙ୍ଗି ପାରିଥାନ୍ତେ । କିନ୍ତୁ, ସଭାରେ ଉପସ୍ଥିତ ଲୋକମାନେ ପୁଣି ଫେରି ଆସି ତାଙ୍କୁ ଉପହାସ କରି ମୂର୍ଖ ବୋଲି ଭାବିଥାନ୍ତେ ବୋଲି ନିଜ ସଫେଇ କହିଥିଲେ ।

Leave a Reply