ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବାଙ୍କ ଇସ୍ତଫା
1 min read
ନନ୍ଦିଘୋଷ ବ୍ୟୁରୋ : ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇସିବାଙ୍କ ଇସ୍ତଫା। ଗତ ଜୁଲାଇରେ ହୋଇଥିବା ସଂସଦ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଦାୟିତ୍ବ ନେବାପରଠାରୁ ଇସିବା ଦଳ ଭିତରେ ଥିବା ଦକ୍ଷିଣ ପନ୍ଥୀ ଗୋଷ୍ଠୀଙ୍କଠାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଆସୁଥିଲେ। ନିର୍ବାଚନରେ ପରାଜୟକୁ ନେଇ ତାଙ୍କ ଦଳ ଲିବରାଲ ଡେମୋକ୍ରାଟିକ ପାର୍ଟି ଭିତରୁ ତାଙ୍କୁ ବିରୋଧ କରାଯାଉଥିଲା। ଆମେରିକା ପକ୍ଷରୁ ଲାଗୁ ହୋଇଥିବା ଟାରିଫ ଓ ଏହାର ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ସେ ସ୍ବର ଉତ୍ତୋଳନ କରିଆସୁଥିଲେ। ଏହା ସହ ଦରବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଦଳ ଭିତରୁ ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ସେନେଇ ଦଳ ପକ୍ଷରୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି- ଦଳର ପରବର୍ତ୍ତୀ ନେତୃତ୍ବ କିଏ ନେବେ ତାହାକୁ ସେ ବିଚାର କରିବେ। ଦେଶ ଭିତରେ ଓ ବାହାରେ ଜାପାନ ଅନେକ ଚାଲେଞ୍ଜର ସମ୍ମୁଖୀନ ହେଉଥିବା ସ୍ଥିତିର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ଦଳ ଭିତରେ ବିଦ୍ରୋହ ତୀବ୍ର ଆକାର ଧାରଣ କରୁଥିବାରୁ ଦଳକୁ ବିଭାଜନରୁ ରକ୍ଷା କରିବା ଲାଗି ଇସିବା ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଗତ ଜୁଲାଇରେ ୨୪୮ ଆସନ ବିଶିଷ୍ଟ ଅପରହାଉସ ନିର୍ବାଚନରେ ଶାସକ ମେଣ୍ଟ ସଂଖ୍ଯା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା।