ପରିତ୍ୟକ୍ତ ପାଲଟିଲାଣି ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଛାତ୍ରାବାସ

ଜୟପୁର : ମୁଣ୍ଡ ଉପରେ ଝୁଲୁଛି ବିପଦ । ପରିତ୍ୟକ୍ତ ପାଲଟିଲାଣି ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଛାତ୍ରାବାସ । ପ୍ରତି ମୁହୁର୍ତରେ ମୃତ୍ୟୁକୁ ସାମ୍ନା କରୁଛନ୍ତି ୪୮ ଅନ୍ତେବାସୀ । ଶହେ ବର୍ଷର ଏହି ଛାତ୍ରାବାସ ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡିଛି । ହେଲେ ପୁନରୁଦ୍ଧାର ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କେହି ତତ୍ପରତା ପ୍ରକାଶ କରୁନାହାନ୍ତି । ପୂରା ଛାତ ଅନାବନା ଘାସରେ ପରିପୂର୍ଣ୍ଣ । ମରାମତି ଅଭାବରୁ ସବୁ ପ୍ରକୋଷ୍ଠରୁ ଗଳୁଛି ପାଣି । ଅଧା ପ୍ରକୋଷ୍ଠରେ ଲାଗିଛି ଭଙ୍ଗା କବାଟ । ଭଙ୍ଗା ଦଦରା ଖଟରେ ଶୋଉଛନ୍ତି ଅନ୍ତେବାସୀ ଅସ୍ବାସ୍ଥ୍ୟକର ପରିବେଶରେ ରହି ଅନ୍ତେବାସୀ ଅଣନିଶ୍ବାସୀ ହୋଇ ପଡୁଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ହେଉନି । କମ୍ ସଂଖ୍ୟକ ପ୍ରକୋଷ୍ଠ, ବେଡ୍ କାରଣରୁ ସମସ୍ତ ଆବେଦନକାରୀଙ୍କୁ ହଷ୍ଟେଲ୍ ସୁବିଧା ମିଳିପାରୁନାହିଁ । ଛାତ୍ରାବାସରେ ୨୭ଟି ପ୍ରକୋଷ୍ଠ ଥିବା ବେଳେ ୪ଟି ପ୍ରକୋଷ୍ଠ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ବଳକା ୨୦ଟି ରୁମରେ ରହୁଛନ୍ତି ଅନ୍ତେବାସୀ । ଛାତ୍ରାବାସ ଉପର ଛାତ ଟିଣରେ ତିଆରି ହୋଇଥିବାରୁ ସବୁ ନଷ୍ଟ ହୋଇଗଲାଣି ।
ବାର୍ଷିକ ଛାତ୍ରାବାସ ପାଇଁ ଟଙ୍କା ଆଦାୟ କରୁଛନ୍ତି ବିଶ୍ବ ବିଦ୍ୟାଳୟ କତ୍ତୃପକ୍ଷ । ଅଥଚ ଜରାଜୀର୍ଣ୍ଣ ଛାତ୍ରାବାସର ଚିତ୍ର ବଦଳି ପାରୁନି ବୋଲି ଅଭିଯୋଗ କରିଛନ୍ତି ପୁର୍ବତନ ଛାତ୍ର ସଭାପତି । ଛାତ୍ରାବାସ ୧୯୦୮ ମସିହାରେ ରାଜା ରାମଚନ୍ଦ୍ର ଦେବ କୁମାର ମହାରାଜାଙ୍କ ସମୟରେ ତତ୍କାଳୀନ ବିଶାଖାପାଟଣା ଗଭର୍ଣ୍ଣରଙ୍କ ଏଜେଣ୍ଟ୍ ଆର୍. ଏଚ୍. କ୍ୟାମ୍ପେବଲ୍ ଏହି ଛାତ୍ରାବାସର ଶିଳାନ୍ୟାସ କରିଥିଲେ । ୧୯୪୭ରେ ବିକ୍ରମଦେବ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏହି କୋଠାରେ ଛାତ୍ରାବାସ କରାଯାଇଥିଲା । ହଷ୍ଟେଲର ପୁନଃଉଧାର ପାଇଁ ଶିକ୍ଷାବିଭାଗ ତଥା ପୁର୍ତ୍ଵ ବିଭାଗ କୁ ଅବଗତ କରାଯାଇଛି । ଯଥା ଶୀଘ୍ର ଏହାକୁ ମରାମତି ମଧ୍ୟ କରାଯିବା ପାଇଁ ଚିଠି ଲେଖାଯାଇଥିବା କହିଛନ୍ତି କର୍ତ୍ତୃପକ୍ଷ । ଅନେକ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଏବଂ ବହୁ କୃତି ଛାତ୍ରଙ୍କ ସ୍ମୃତିର ମୂକସାକ୍ଷୀ ଛାତ୍ରାବାସର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।