ଝାରସୁଗୁଡାରେ ୧୭୩ ଜଣ ଚାଷୀଙ୍କ ଟୋକନ ଲାପ୍ସ, ଚିନ୍ତାରେ ହୀରାକୁଦ ବୁଡି ଅଞ୍ଚଳ ଅନ୍ନଦାତା

1 min read

ଝାରସୁଗୁଡ଼ା : ଜୁନ ୩୦ରେ ସାରା ରାଜ୍ଯରେ ସରିଗଲା ରବି ଧାନ କିଣା । ପୂରଣ ହେଲାନି କିନ୍ତୁ ଟାର୍ଗେଟ । ଝାରସୁଗୁଡାରେ ଚାଷୀଙ୍କ ଟୋକନ ଲାପ୍ସ । ଅଦିନିଆ ବର୍ଷାରୁ ବର୍ତ୍ତି ଯାଇଥିବା ୧୭୩ ଜଣ ଚାଷୀଙ୍କ ୬ ଶହ ୩୪ କ୍ଵିଣ୍ଟାଲ ଧାନ ଏବେ ମଧ୍ଯ ଖତ ଖାଉଛି । ଧାନ ଘରକୁ ନେଇଯାଇଥିଲେ ସୁଦ୍ଧା ଧାନ କିନ୍ତୁ ନଷ୍ଟ ହୋଇଯାଇଛି । ଧାନ ବିକି ପାରିନଥିବା ଅଧିକାଂଶ ଚାଷୀ ହୀରାକୁଦ ବୁଡି ଅଞ୍ଚଳର । ଏଭଳି ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ କିଏ ? ଝାରସୁଗୁଡା ଚାଷୀଙ୍କ ଦୁଃଖ ବୁଝିବ କିଏ ? ଏନେଇ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଦାୟୀ କରିଛନ୍ତି ଚଷା ପୁଅ ।

ଝାରସୁଗୁଡାରେ ଚଳିତ ବର୍ଷ ୨ ହଜାର ୮୯ ଜଣ ଚାଷୀଙ୍କ ଠାରୁ ୯୨ ହଜାର ୬୪୪.୧୫ କ୍ଵିଣ୍ଟାଲ ଧାନ କିଣା ଯାଇଛି । ଧାନ କିଣାକୁ ନେଇ ବାରମ୍ବାର ବାଦ ବିବାଦ ପରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବାଦ ପଡିଗଲେ ୧୭୩ ଜଣ ଚାଷୀ । ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଅତିରିକ୍ତ ସିଏସଓ କହିଛନ୍ତି ଯଦି କୌଣସି ଜେନ୍ୟୁଇନ ଚାଷୀ ରହି ଯାଇଥିବେ ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ସେ ପ୍ରସଙ୍ଗରେ ସରକାରଙ୍କୁ ଜଣାଇ କୌଣସି ପଦକ୍ଷେପ ନିଆଯିବ। ଏଠି ପ୍ରଶ୍ନ ଉଠୁଛି- ଜିଲ୍ଲା ପ୍ରଶାସନ ପରଖ କରି ଟୋକନ ଦେଇଥିବା ଚାଷୀ କିଭଳି ହେଲେ ଫେକ ଚାଷୀ ? ଚାଷୀଙ୍କୁ ଢାଲ କରି କେବଳ ରାଜନୈତିକ ଉଦ୍ଦେଶ୍ଯ ସାଧନ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।