ଆଣ୍ଟିଭାଇରସ ସଫ୍ଟଓ୍ବେରର ଉଦ୍ଭାବକ ଜନ ମାକଫିଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ଆଣ୍ଟିଭାଇରସ ସଫ୍ଟଓ୍ବେରର ଉଦ୍ଭାବକ ଜନ ମାକଫିଙ୍କ ସନ୍ଦେହଜନକ ମୃତ୍ୟୁ। ସ୍ପେନର ଏକ ଜେଲରେ ତାଙ୍କର ମୃତ୍ୟୁ ଘଟିଛି। ଶୁଳ୍କ ଠକେଇ ଅଭିଯୋଗ କ୍ରମେ ତାଙ୍କୁ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ଲାଗି ସ୍ପେନର ଏକ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ବାର୍ସେଲୋନାର ବ୍ରିୟନ୍ସ ଜେଲରେ ୭୫ ବର୍ଷ ବୟସ୍କ ମାକଫିଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ତଥ୍ୟ ପଦାକୁ ଆସୁଛି। ଗତ ବର୍ଷ ଅକ୍ଟୋବରରେ ସେ ସ୍ପେନ ଚାଲିଯିବା ପରେ ତାଙ୍କୁ ବାର୍ସେଲୋନାରେ ଗିରଫ କରାଯାଇଥିଲା। ସେ ବାର୍ସେଲୋନାରୁ ଇସ୍ତାନବୁଲକୁ ବିମାନରେ ଚାଲିଯିବା ଲାଗି ଯୋଜନା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା।

୨୦୧୪ରୁ ୨୦୧୮ ମଧ୍ୟରେ ସେ ଶୁଳ୍କ କ୍ଷେତ୍ରରେ ବ୍ୟାପକ ଅନିୟମିତତା କରିବା ସହ ଶୁଳ୍କ ଦାଖଲ ନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ତେବେ ତାଙ୍କୁ ୩୦ ବର୍ଷ ଜେଲରେ ରହିବାକୁ ପଡ଼ିଥାନ୍ତା। ବୁଧବାର ତାଙ୍କୁ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ଲାଗି ସ୍ପେନର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାକଫି ଗତ ୪ ବର୍ଷ ମଧ୍ୟରେ ଶୁଳ୍କ ଦାଖଲ ନ କରିବା ହେତୁ ସେ ୧୦ ମିଲିୟନ ୟୁରୋ ଅର୍ଥାତ ୧୨ ମିଲିୟନ ଡଲାର ଆୟ କରିଥିଲେ ବୋଲି ଆମେରିକା ପକ୍ଷରୁ ଅଭିଯୋଗ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଟୁଇଟ ପ୍ରକାଶ କରିଥିଲେ ଯେଉଁଥିରେ ସେ ଆତ୍ମହତ୍ୟା ନେଇ ସୂଚନା ଦେଇଥିଲେ।

Leave a Reply