ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା। ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ ହାଇକୋର୍ଟ। ଭିଜିଲାନ୍ସ କୋର୍ଟରୁ ମୋକିମ ଦୋଷୀ ସାବ୍ୟସ୍ତ ହେବା ସହିତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥଲା। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଛନ୍ତି ହାଇକୋର୍ଟ । ମୋକିମଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସେମାନଙ୍କୁ ଜେଲ୍ ଦଣ୍ଡାଦେଶ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ। ଏହି ମାମଲାରେ ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବାକୁ କହିଥିବା ବେଳେ ଆଜି ମୋକିମଙ୍କୁ ଶକ୍ତ ଝଟକା ଲାଗିଛି।

ଗତ ୨୦୨୨ ସେପ୍ଟେମ୍ବର ୨୯ ତାରିଖରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ମୋକିମ ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ୨୦୨୨ ଅକ୍ଟୋବର ୧୯ ତାରିଖରେ ମୋକିମଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ସହ ଶୁଣାଣୀ ଜାରି ରଖିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ଯାଲେଞ୍ଜ କରି ଭିଜିଲାନ୍ସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ମାମଲାର ଶୁଣାଣୀ କରି ୬ ମାସରେ ଶୁଣାଣୀ ସାରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣୀ ଶେଷ କରିବା ସହ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।