ପୂର୍ବତନ ବିଧାୟକ ନେତା ଜର୍ଜ ତିର୍କିଙ୍କ ଦେହାନ୍ତ

1 min read

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଵୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଵିଜେଡି ନେତା ଜର୍ଜ ତିର୍କିଙ୍କ ଦେହାନ୍ତ । ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାତି ସାଢେ ୧୧ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିବା ପୂର୍ଵରୁ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ତଥା ଵୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି । ମୃତ୍ୟୁ ଵେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥଲେ । JMMରୁ ୨ ଥର ବିଧାୟକ ହୋଇଥିବା ବେଳେ ଥରେ ସ୍ଵାଧୀନ ଓ ଥରେ ସମତାକ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ରେ JMMରୁ ବିଧାୟକ ହୋଇଥିଲେ ଜର୍ଜ ତିର୍କି । ସେହିଭଳି ୨୦୦୯ରେ ସ୍ବାଧୀନ ଏବଂ ୨୦୧୪ରେ ସମତାକ୍ରାନ୍ତି ଦଳରୁ ପ୍ରାର୍ଥି ହୋଇ ବିଜୟ ଲାଭ କରିଥିଲେ । ଏହାପରେ କଂଗ୍ରେସରେ ଯୋଗଦେଇଥିଲେ ଜର୍ଜ ତିର୍କି । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇ ଦଳର ସକ୍ରିୟ କର୍ମୀ ଭାବରେ କାମ କରୁଥିଲେ । ତାଙ୍କ ପୁଅ ରୋହିତ ଯୋଶେଫ ତିର୍କି ବୀରମିତ୍ରପୁରରୁ ବିଜେଡି ବିଧାୟକ ରହିଛନ୍ତି । ଜର୍ଜଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।