SCBରେ ଆରମ୍ଭ ହେବ କାଡାଭରିକ ପାଠ୍ୟକ୍ରମ, ମୃତଦେହ ନେଇ ଡାକ୍ତରୀ ପିଲା ଶିଖିବେ ଜଟିଳ ଅସ୍ତ୍ରୋପଚାର

1 min read

କଟକ: ଜଟିଳ ଅସ୍ତ୍ରୋପାଚାରରେ ପାରଙ୍ଗମ ହେବେ ଡାକ୍ତରୀ ଛାତ୍ର । SCBରେ ଆରମ୍ଭ ହେବ କାଡାଭରିକ ପାଠ୍ୟକ୍ରମ । ଶବ ଉପରେ କରିବେ ଅପରେସନର ଏକ୍ସପେରିମେଣ୍ଟ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ମେଡିକାଲ କଲେଜ ଅର୍ଥୋପେଡିକ୍ ବିଭାଗ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ନି’ରିପ୍ଲେସମେଣ୍ଟ, ପେଲଭିକ୍ ଆଣ୍ଡ ଏସିଟାବୁଲମ୍, ବୋନ୍ ସର୍ଜରୀଠାରୁ ଅନେକ ଜଟିଳ ସର୍ଜରୀ ଶିଖାଇବା ପାଇଁ ଆନାଟୋମିକ ବିଭାଗରେ କାଡାଭରିକ ପାଠ୍ୟକ୍ରମ ପ୍ରଦାନ କରାଯିବ । ଏଥିପାଇଁ ଇଣ୍ଡିଆନ ଅର୍ଥୋପେଡିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଛି କର୍ମଶାଳା । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦଘାଟନ କରିଥିବାବେଳେ ଏଥିରେ DMET ପ୍ରଫେସର ଡାକ୍ତର S. N. ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ବିଶେଷଜ୍ଞ, ଅର୍ଥୋପେଡିକ୍ ବିଭାଗର ମୁଖ୍ୟ ନିର୍ମଳ ଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି ।

ଅନେକ ସମୟରେ ଅଚିହ୍ନା ଓ ଅପରିଚିତ ଶବ SCBରେ ରହୁଛି । ଯାହାର କେହି ଦାବିଦାର ବାହାରୁ ନାହାନ୍ତି । ଏଭଳି ମୃତଦେହ ଉପରେ ପିଲାଙ୍କୁ ଜଟିଳ ଅସ୍ତ୍ରୋପଚାର ଶିଖାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟରେ SCBରେ ପ୍ରଥମ ସ୍କିଲ୍ ଡେଭଲପମେଣ୍ଟ କାଡାଭାରିକ ଲ୍ୟାବ କରିବାକୁ ଅର୍ଥୋପେଡିକ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ଲ୍ୟାବରେ ସମସ୍ତ ବିଭାଗ ନିୟମିତ ଭାବେ ପ୍ରଶିକ୍ଷଣ ନେଇପାରିବେ । ଏହାଦ୍ବାରା ରାଜ୍ୟର ସମସ୍ତ ମେଡିକାଲ ଷ୍ଟାଫ୍ ବେସିକ୍ ଲାଇଫ ସପୋର୍ଟ ସିଷ୍ଟମ ଉପରେ ଅଭିଜ୍ଞତା ପାଇବା ସହ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନେକ ଅଭିବୃଦ୍ଧି ହେବ।