ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ, ମୋଳିକ ସୁବିଧା ପାଇଁ କରିଚାଲିଛନ୍ତି ଅହରହ ସଂଗ୍ରାମ

1 min read

କଳାହାଣ୍ଡି : ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ । ମୌଳିକ ସମସ୍ୟାରେ ସଢୁଛନ୍ତି ଅହରହ । ବୁଡି ଅଞ୍ଚଳରେ ବୁଡିଛି ସ୍ଵପ୍ନ ଓ ଭବିଷ୍ୟତ । ବିସ୍ଥାପିତଙ୍କୁ ସାମାନ୍ୟ କ୍ଷତିପୂରଣ ଦେଇ ନିଘୋଡ଼ ନିଦ୍ରାରେ ପ୍ରଶାସନ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ମାଣ ହୋଇଛି ଇନ୍ଦ୍ରାବତୀ ଜଳଭଣ୍ଡାର । ଏହି ଡ୍ୟାମ ସମଗ୍ର ଭାରତ ବର୍ଷର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ପରିଚିତ । ହେଲେ ଡ୍ୟାମ ହେବା ଦିନରୁ ଆଜି ଯାଏଁ ୪୨ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଡ୍ୟାମ ପାଇଁ ଦୁର୍ଦ୍ଦିନରେ ଭାସୁଛନ୍ତି ହଜାର ହଜାର ବିସ୍ଥାପିତ । ବୁଡି ଅଞ୍ଚଳରେ ସର୍ବଦା ବିତାଉଛନ୍ତି ଜଳବନ୍ଦୀ ଜୀବନ । ଅଞ୍ଚଳବାସୀଙ୍କ ପାଇଁ ଡଙ୍ଗା ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଡଙ୍ଗା ବୁଡିରେ ଗଲାଣି ୨୨୦ ଜଣଙ୍କ ଜୀବନ । ଏପଟେ ବିସ୍ଥାପିତଙ୍କ ହାଲଚାଲ ବୁଝିବାକୁ ସମସ୍ତେ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି ।

ପୂର୍ବ ସରକାର ସମୟରେ ବୁଡି଼ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଡି.ଚେପଟାଘାଟ ଠାରୁ କେ.ଚେପଟା ଘାଟ ପର୍ଯ୍ୟନ୍ତ ଗୋଲାଗଡ ନଦୀରେ ପୋଲ ନିର୍ମାଣ ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଟେଣ୍ଡର ପ୍ରକ୍ରିୟା କରାଯାଇ ୪ଟି ଖୁଣ୍ଟ ନିର୍ମାଣ ହୋଇଥିଲା । ହେଲେ ପରେ ଭୁଲ ଡିଜାଇନ ନାଁରେ ପୋଲ ନିର୍ମାଣ ବନ୍ଦ କରିଦିଆଗଲା । ଯାହା ଫଳରେ ପାହାଡ ଉପରେ ରହୁଥିବା ଲୋକଙ୍କ ପକ୍କା ରାସ୍ତାର ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଫଳରେ ସାମାନ୍ୟ ପିଡିଏସ ସାମଗ୍ରୀ ପାଇଁ ଡଙ୍ଗାରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଆର ପାରିକୁ । ଏଠି ପ୍ରଶ୍ନ ଉଠୁଛି- ଏମାନଙ୍କର କଣ ନାହିଁ ମୌଳିକ ଅଧିକାର ? ସର୍ବସ୍ବ ହରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଦୁଃଖ ବୁଝୁଛି କିଏ  ? କଣ କରୁଛି ପ୍ରଶାସନ ? ବୁଡି ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।